ଦଶମନ୍ତପୁର, ୧/୯ : ଗାଁକୁ ନାହିଁ ରାସ୍ତା। ଯାହା ଫଳରେ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି ନାହିଁ । ୩ କି.ମି. ଭାରରେ ବୁହାହେଲେ ସାପ କାମୁଡ଼ା ରୋଗୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ପଦୁଗୁଡା ଗାଁରୁ ଆସିଛି ଏଭଳି ବିକଳ ଚିତ୍ର।
ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ପଦୁଗୁଡା ଗାଁର ନବୀନ ସାଉନ୍ତା (୩୦ ବର୍ଷ) ନିକଟସ୍ଥ ଅଜା ଘାଟ ପାହାଡ଼କୁ ଗାଈ ଜଗିବାକୁ ଯାଇଥିଲେ। ସେଠାରେ ଏକ ସାପ ତାଙ୍କ ହାତକୁ ଚୋଟ ମାରିଥିଲା। ଯୁବକଙ୍କ ଚିତ୍କାର ଶୁଣି ସାଥିରେ ଥିବା ଅନ୍ୟ ଗୋରୁ ଜଗୁଆଳୀମାନେ ନବୀନଙ୍କ ବାପା ସାରଥି ସାଉନ୍ତାଙ୍କୁ ଖବର ଦେବା ସହ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଆମ୍ଵୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ଗ୍ରାମବାସୀମାନେ ନବୀନଙ୍କୁ ଭାରରେ ୩ କି.ମି. ବୋହି ଲୁଲା ଗାଁ ଛକ ଯାଏଁ ଆଣିଥିଲେ। ସେଠାରେ ୧୦୮ ଆମ୍ଵୁଲାନ୍ସ ଗାଡିକୁ ଯୋଗାଯୋଗ କରିଥିଲେ। ଡାକ୍ତରଖାନାରେ ଆମ୍ଵୁଲାନ୍ସ ନଥିବାରୁ ୧ ଘଣ୍ଟା ଯାଏଁ ଜଗି ବସିଥିଲେ। ଶେଷରେ ବାଧ୍ୟ ହୋଇ ଏକ ଅଟୋ ସାହାଯ୍ୟରେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ବର୍ତ୍ତମାନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ପଦୁଗୁଡା ଗାଁରେ ୯୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁର ଜନସଂଖ୍ୟା ପାଖାପାଖି ୩୩୦ ହେବ। ଗାଁ ଲୋକମାନେ ପୋଡ଼ୁ ଚାଷ ଓ ଦିନ ମଜୁରିଆ ଭାବେ କାମ କରନ୍ତି। ଏପର୍ଯ୍ୟନ୍ତ ଗାଁ ଲୋକଙ୍କ ପାଇଁ ଭଲ ରାସ୍ତାଟିଏ ହୋଇପାରି ନାହିଁ। ରାସ୍ତା ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ଲିଖିତ ଓ ମୌଖିକ ଭାବେ ଗୁହାରି କରି ଆସୁଛନ୍ତି। ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ମନଜ୍ଞାନ ଦେଉନାହାଁନ୍ତି। ଯେଉଁଥିପାଇଁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।