ନରସିଂହପୁର, ୧୨/୬(ଆ.ପ୍ର.): ନରସିଂହପୁର ବ୍ଲକ ଅନ୍ତର୍ଗତ ରେଗେଡ଼ା ଗ୍ରାମର ୫୫ ବର୍ଷିୟ ସତ୍ୟବାନ ସାହୁ ଆନ୍ଧ୍ରପ୍ରଦେଶରୁ ନରସିଂହପୁର ଆସୁଥିବା ସମୟରେ ଭୁବନେଶ୍ୱରରେ ଲୁଟର ଶିକାର ହୋଇଛନ୍ତି।
ସୂଚନାରୁ ପ୍ରକାଶ ଯେ ସତ୍ୟବାନ ଆନ୍ଧ୍ରପ୍ରଦେଶରେ ଏକ ହୋଟେଲରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ଆନ୍ଧ୍ରପ୍ରଦେଶରୁ ଘରକୁ ଟ୍ରେନ ଯୋଗେ ଆସୁଥୁବା ବେଳେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୪୦ ମିନିଟରେ ଭୁବନେଶ୍ୱରରେ ଟ୍ରେନରୁ ଓଲ୍ଲାଇଥିଲେ। ବୁଧବାର ଭୋରୁ ଭୁବନେଶ୍ୱରରୁ ଘରକୁ ଆସୁଛନ୍ତି ବୋଲି ଫୋନ୍ କରିଥିଲେ। ଏକ ଅଟୋରେ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ସମ୍ପୃକ୍ତ ଅଟୋ ଚାଳକ ଆମ ଘର ମଧ୍ୟ ନରସିଂହପୁର ବୋଲି କହି ବିଶ୍ୱାସ ଜନ୍ମାଇ ପରେ କିଛି ଜିନିଷ ମୁଁହକୁ ସ୍ପ୍ରେ କରିଥିଲେ। ତାପର ଠାରୁ ସତ୍ୟବାନ ଆଉ କିଛି ଜାଣି ନାହାନ୍ତି ଘରଲୋକ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ମୋବାଇଲ ଫୋନ୍ ସ୍ୱୀଚ ଅଫ୍ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା।
ବୁଧବାର ବିଳମ୍ବିତ ରାତିରେ ସଂଜ୍ଞାହୀନ ଅବସ୍ଥାରେ ଏକ ଗଛ ମୂଳେ ସତ୍ୟବାନ ଉଦ୍ଧାର ହୋଇଥିଲେ। ସେତେବେଳେକୁ ତାଙ୍କ ପାଖରେ ଥିବା ୩ ହଜାର ୫ ଶହ ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍ ଚୋରି ହୋଇଯାଇଥିଲା। ବହୁ କଷ୍ଟରେ ଗୁରୁବାର ସକାଳୁ ଭୁବନେଶ୍ୱରରୁ କମଳାଡିହ ଆସୁଥିବା ଏକ ବସରେ ଆସୁଥିବା ଖବର ପାଇ ପରିବାର ଲୋକେ ତାଙ୍କୁ ନରସିଂହପୁର ବସଷ୍ଟାଣ୍ଡରୁ ଉଦ୍ଧାର କରିଥିଲେ।
ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ସତ୍ୟବାନଙ୍କ ନିଶା ଛାଡ଼ି ନଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଭିନ୍ନ ଅଞ୍ଚଳରୁ ଦାଦନ ଖଟି ଘରକୁ ଅସୁଥୁବା ଲୋକମାନଙ୍କୁ କିଛି ଅଟୋ ଡ୍ରାଇଭର ଟାର୍ଗେଟ କରି ସେମାନଙ୍କୁ ନରସିଂହପୁର ଅଞ୍ଚଳର ପରିଚୟ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଚକ୍ରଗଡ଼ର ଜଣେ ବ୍ୟକ୍ତି ଓ ସାନ ଗାଁର ଜଣେ ବ୍ୟକ୍ତି ଙ୍କୁ ଚାରେ ନିଶା ଦେଇ ଏଇଭଳି ଭାବେ ଲୁଟିଥଲେ ଦୁର୍ବୁତ୍ତ।
ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ସହ ଦୁର୍ବୁତ୍ତଙ୍କୁ କାବୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।