ତିହିଡ଼ି ୧୨/୦୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବ୍ୟାଙ୍କ ଡକାୟତି । ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି । ବ୍ୟାଙ୍କର ୪ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ଲକ୍ଷ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ତିହିଡ଼ି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗୁରୁବାର ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଏହି ଚୋରି ହୋଇଛି । ଭୋରୁ ବ୍ୟାଙ୍କ ଭିତରେ କର୍ମଚାରୀମାନେ ରହୁଥିବା ବେଳେ ଏହି ଡକାୟତି ହୋଇଛି । ଡକାୟତମାନେ କ୍ୟାସିୟର ଦେବାଶିଷ୍ ରାଉତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଅନ୍ୟ ୩ଜଣ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରିଛନ୍ତି । ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ମୋଟ୍ ୭ଲକ୍ଷ ୫୨ ହଜାର ଟଙ୍କା ଚୋରି ହୋଇଛି । ଡକାୟତି ବେଳେ ୩ଜଣ ମୁଣ୍ଡରେ ହେଲମେଟ୍ ପିନ୍ଧି ଥିଲେ ଏବଂ ଅନ୍ୟ ଜଣେ ମୁହଁରେ କପଡ଼ା ବନ୍ଧିଥିଲା । ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ହେଉଥିବାରୁ ରାଜ୍ୟ ଲୁଟେରା ବୋଲି ସନ୍ଦେହ କରାଯାଉଛି । ସିସିଟିଭି କ୍ୟାମେରାରୁ ଜଣେ ଡକାୟତଙ୍କ ମୁହଁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ତିହିଡ଼ି ଥାନା ଠାରୁ ଏହି ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ମାତ୍ର ୨ଶହ ମିଟର ଦୂରରେ ରହିଛି । ଅନ୍ୟପଟେ ବ୍ୟାଙ୍କ ମ୍ୟାନେଜର ମଳୟ ସାହୁଙ୍କ ଏତଲା ପରେ ପୁଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।