ଛତ୍ରପୁର,୦୫/୧୨: ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ । ରମ୍ଭାଥାନା ହୁମା ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ କାର୍‌ ଉପରକୁ ୮ରାଉଣ୍ଡ ଗୁଳି ମାଡ଼ କଲେ ଦୁର୍ବୃତ୍ତ । ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଲୁଟ୍‌ କରିବାରେ ଅସଫଳ ହୋଇଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୁଧବାର ରାତିରେ ରମ୍ଭା ପଟୁ ବ୍ରହ୍ମପୁର କାର୍‌ ଯୋଗେ ୪ଜଣ କାଜୁ ବ୍ୟବସାୟୀ ଯାଉଥିଲେ । ହୁମା ଜଳସେଚନ କାର୍ଯ୍ୟାଳୟ ସମ୍ମୁଖ ଫୁଟ ପାଥରେ କାର୍‌ରୁ ଓଲ୍ହାଇ ୪ଜଣ ବ୍ୟକ୍ତି ବସିଥିଲେ l ସେହି ସମୟରେ ୩ଜଣ ଦୁର୍ବୁତ୍ତ ବାଇକ ଯୋଗେ ଆସି ଲୁଟ୍‌ ଉଦ୍ୟମ କରି କାର୍‌ ଉପରକୁ ୮ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏହି ଆକ୍ରମଣରେ କାର୍‌ର କାଚ ଭାଙ୍ଗି ଯାଇଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହା ଦେଖି ଭୟରେ କାର୍‌ ଛାଡ଼ି ବ୍ୟବସାୟୀ ମାନେ ଦୌଡ଼ି ପଳାଇ ଯାଇଥିଲେ । ଏନେଇ ହୁମା ଫାଣ୍ଡିରେ ଏକ ମାମଲା ରୁଜୁ ହେବା ପରେ ଘଟଣାସ୍ଥଳରେ ରମ୍ଭା ଆଇଆଇସି ସତ୍ୟବ୍ରତ ଭୂତିଆ ଏବଂ ହୁମା ଆଉଟ ପୋଷ୍ଟ ଅଧିକାରୀ ସୁଭାଶିଷ ସାମନ୍ତରାୟ, ଏସଡିପିଓ ଗୌରହରି ସାହୁ ପହଞ୍ଚିଥିଲେ । ସେଠାରେ ଏକ ହଳ ଚପଲ ଏବଂ ଦୁଇଟି ଖୋକା ପଡ଼ିଥିବା ଦେଖିଥିଲେ । ତେବେ କାର୍‌ରୁ କୌଣସି ଲୁଟ ହୋଇନଥିବା ନେଇ ପୋଲିସ ସୂଚନା ଦେଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ।