ନୂଆଦିଲ୍ଲୀ, ୩୧/୧୨ : ଆପଣ ଖୁସି ଅଛନ୍ତି ନା ଦୁଃଖି, କାନ୍ଦିବାକୁ ଇଚ୍ଛା କରୁଛନ୍ତି ନା ହସିବାକୁ... ଏସବୁ କଥା ନକହିଲେ ବି ବୁଝି ପାରିବ ରୋବୋଟ୍। ଆଶ୍ଚର୍ଯ୍ୟ ଲାଗୁଛି ନା ହେଲେ ଏହା ସତ। ଏବେ ମନର କଥା ବୁଝିପାରିବ ରୋବୋଟ୍। ମଣିଷଙ୍କୁ ଛୁଇଁ ଜାଣିପାରିବ ହୃଦୟର କଥା। IEEE ଏକ୍ସପ୍ରେସ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ରିସର୍ଚ୍ଚରୁ ଖୁଲାସା। 

ରୋବୋଟ୍ କେବେ ମଣିଷ ଭଳି ବୁଝିପାରିବନି କି ମଣିଷ ଭଳି ହୋଇପାରିବନି। ସେ ଗୋଟେ ମେସିନ୍... କେବଳ ମେସିନ୍ ଭଳି କାମ କରିପାରିବ। ଏହି ଚିନ୍ତାଧାରା ଏବେ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। କାରଣ ଭବିଷ୍ୟତରେ ଏଭଳି ରୋବୋଟ୍ ଆସିବେ ଯେଉଁମାନେ ମଣିଷଙ୍କୁ ଛୁଇଁ ତାଙ୍କ ମନର କଥା ବୁଝିପାରିବେ। IEEE ଏକ୍ସପ୍ରେସ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ୩୩ ଜଣ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ଏହି ରିସର୍ଚ୍ଚ ସ୍କିନ୍ କଣ୍ଡକ୍ଟାନ୍ସ ଉପରେ ଆଧାରିତ। ରିସର୍ଚ୍ଚରେ ଜଣାପଡ଼ିଛି ଯେ, ମଣିଷ ତ୍ଵଚାରେ ସୂକ୍ଷ୍ମ ପରିବର୍ତ୍ତନ ବୁଝି ପାରିଲେ, ରୋବୋଟ ମଣିଷଙ୍କ ଭାବନାକୁ ସଠିକ୍ ଭାବେ ବିଶ୍ଳେଷଣ କରିପାରିବ। ଯେପରିକି ତ୍ଵଚାରୁ ଝାଳ ବାହାରିବା, ନର୍ଭସ୍ ସିଷ୍ଟମର ଗତିବିଧି, ଏବଂ ଅନ୍ୟ ସୂକ୍ଷ୍ମ ପରିବର୍ତ୍ତନ ଦେଖି ମଣିଷର ଭାବନାତ୍ମକ ସ୍ଥିତିକୁ ବୁଝିପାରିବ। ମଣିଷଙ୍କ ଭାବନାକୁ ଜାଣିବା ପାଇଁ ହେଲେ ମୁଖ୍ୟତଃ ଚେହେରାର ହାବ ଭାବ, ଏବଂ କଥା କହିବା ଶୈଳୀକୁ ଅନୁଧ୍ୟାନ କରାଯାଏ। ତେଣୁ ରୋବୋଟ୍ ଚେହେରା, ସ୍ଵର ଏବଂ ତ୍ଵଚାକୁ ଛୁଇଁ ମଣିଷର ଭାବନାକୁ ବୁଝିପାରିବ। 

ଏହି ଅଧ୍ୟୟନ ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହି ଟେକନିକ୍ ଉପଯୋଗ କରି ରୋବୋଟ୍‌ଙ୍କ ବିକାଶରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରିବ। ଏହାଦ୍ଵାରା ରୋବୋଟଙ୍କ ସମ୍ଵେଦନଶୀଳତା ବଢିବ। ଭବିଷ୍ୟତରେ ସ୍ଵାସ୍ଥ୍ୟସେବା ଏବଂ କଷ୍ଟୋମର ସର୍ଭିସ୍ ପାଇଁ ସେମାନଙ୍କୁ ଉପଯୋଗ କରାଯାଇପାରିବ। ତେବେ ରୋବୋଟ୍‌ର ଏହି ସମ୍ବେଦନଶୀଳତା ଯୋଗୁଁ ଯେତିକି ସହଯୋଗ ମଳିବ ସେତିକି ବିପଦ ମଧ୍ୟ। କାରଣ ରୋବୋଟ୍‌ର ଏହି ସମ୍ଵେଦନଶୀଳତାର ଅପବ୍ୟବହାର ହୋଇପାରେ। ତେଣୁ ଭବିଷ୍ୟତରେ କିଭଳି ଏହାର ସୁରକ୍ଷିତ ଉପଯୋଗ ହୋଇପାରିବ ତାହା ସୁନିଶ୍ଚିତ କରିବା ଜରୁରୀ।