ନୂଆଦିଲ୍ଲୀ: ଗାବା ଟେଷ୍ଟ ଡ୍ର ହୋଇଯିବା ପରେ ଭାରତୀୟ ଦଳର ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି ଅଫ ସ୍ପିନର ଆର.ଅଶ୍ବିନ । ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଗାବା ଟେଷ୍ଟ ଶେଷ ହେବା ପରେ ତାଙ୍କୁ ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳିବ ନାହିଁ । ସନ୍ନ୍ୟାସ ନେଇ ଘୋଷଣା କରିବା ପରେ ଅଶ୍ବିନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆସି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । 

ଏହା ପରେ ରୋହିତ ଶର୍ମାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ଘଟିଲା ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ରୋହିତ ଶର୍ମାଙ୍କୁ ସମ୍ବାଦିକମାନେ ପଚାରିଥିଲେ ଯେ, ପୂଜାରା, ରାହାଣେ ଏବଂ ଅଶ୍ବିନଙ୍କୁ ଏବେ ଅନ୍ୟ କୌଣସି ଭୂମିକାରେ ଦେଖିବାକୁ ମିଳିବ କି ? ଏହାର ଜବାବରେ ରୋହିତ ଶର୍ମା କହିଛନ୍ତି, ‘ଆରେ ଭାଇ ତୁମେମାନେ ମୋତେ ମାରିବ ଲାଗୁଛି ।’ ତେବେ ଏମିତି କାହିଁକି କହିଲେ ରୋହିତ ଶର୍ମା ? 

ଅଶ୍ବିନ, ପୂଜାରା ଏବଂ ରାହାଣେଙ୍କୁ ନେଇ ପ୍ରଶ୍ନ କରାଯିବାକୁ ରୋହିତ କହିଛନ୍ତି, ‘କେବଳ ଅଶ୍ବିନ ହିଁ ଅବସର ଘୋଷଣା କରିଛନ୍ତି । ତୁମେମାନେ ମୋତେ ମାରିବ ।  ରାହାଣେ ଓ ପୂଜାରା ଏବେ ଖେଳୁଛନ୍ତି । ଭଲ ଖେଳିଲେ ସେମାନେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିବେ ।’ ରୋହିତଙ୍କ ପାଖରୁ ଏଭଳି ଜବାବ ଶୁଣି ସେଠାରେ ଉପସ୍ଥିତ ଲୋକେ ହସିଥିଲେ । ସେପଟେ ଏହି ଗସ୍ତରେ ଆଉ କିଛି ସରପ୍ରାଇଜ୍‌ ମିଳିବ କି ବୋଲି ପ୍ରଶ୍ନରେ ରୋହିତ କହିଛନ୍ତି, ବର୍ତ୍ତମାନ ପାଇଁ ସେଭଳି କିଛି ନାହିଁ । 

ରୋହିତ-ବିରାଟ ନେବେ ସନ୍ନ୍ୟାସ ?

ଯଦି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ଜିତିପାରେ ନାହିଁ କିମ୍ବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିପାରେ ନାହିଁ, ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦୁଇ ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହା ସତ୍ତ୍ବେ ବିରାଟ କୋହଲି ପର୍ଥ ଟେଷ୍ଟରେ ଶତକ ମାରିଥିଲେ କିନ୍ତୁ ରୋହିତ ଶର୍ମା ଦୀର୍ଘ ସମୟ ଧରି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏବେ ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟରେ ରୋହିତ ଏବଂ କୋହଲିଙ୍କ ପ୍ରଦର୍ଶନ ଉପରେ ଖେଳପ୍ରେମୀଙ୍କ ନଜର ରହିବ ।