ମୁମ୍ବାଇ,୧୩/୬ : ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ଓ୍ବାନଡେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ପାଖରେ ଇତିହାସ ରଚିବାକୁ ସୁଯୋଗ ରହିଛି । ରୋହିତ ଓ୍ବାନଡେରେ ୬ରନ୍ କରି ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୧୬୦୦୦ରନ୍ ପୂରା କରିନେବେ । ପ୍ରକାଶ ଯେ ରୋହିତଙ୍କ ନାମରେ ଏହି ସମୟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୫,୯୯୪ରନ୍ କରିଛନ୍ତି । ଓ୍ବାନଡେରେ ୧୬୦୦୦ରନ୍ କରିବା କ୍ଷଣି ରୋହିତ ଭାରତ ତରଫରୁ ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି କରିବାରେ ଦ୍ବିତୀୟ ଭାରତୀୟ ଓପନର ବ୍ୟାଟର ହୋଇଯିବେ । ରୋହିତଙ୍କ ପୂର୍ବରୁ ବିରେନ୍ଦ୍ର ସେହଓ୍ବାଗ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୧୬୦୦୦ରନ୍ କରିଛନ୍ତି । ଓପନର ଭାବେ ସେହଓ୍ବାଗ ଅନ୍ତର୍ଜାତୀୟ କ୍ରିକେଟରେ ନିଜ କ୍ୟାରିୟରରେ ପ୍ରାୟ ୧୬,୧୧୯ରନ୍ କରିଛନ୍ତି ।

ଏହା ବ୍ୟତୀତ ରୋହିତ ଶର୍ମା ଭାରତ ତରଫରୁ ସବୁଠାରୁ ବୟସ୍କ ଭାରତୀୟ ଓ୍ବାନଡେ ଖେଲାଳୀ ହୋଇଯିବେ । ପ୍ରଥମ ମ୍ୟାଚ୍ ଖେଳିବା ପରେ ରୋହିତ ଏହି ରେକର୍ଡ଼କୁ ନିଜ ନାଁରେ କରିନେବେ । ଏହି ସମୟରେ ରୋହିତଙ୍କ ବୟସ ୩୯ବର୍ଷ ଏବଂ ୪୪ଦିନର ଅଟେ । ସେହିଭଳି ଭାରତର ମୋହିନ୍ଦର ଅମରନାଥ ଏହା ପୂର୍ବରୁ ଭାରତ ତରଫରୁ ଓ୍ବାନଡେ ମ୍ୟାଚ୍ ଖେଳିବାରେ ସବୁଠାରୁ ବୟସ୍କ ଖେଳାଳୀ ରହିଛନ୍ତି । ମୋହିନ୍ଦର ଅମରନାଥ ୧୯୮୩ ବିଶ୍ବକପ ଫାଇନାଲରେ ‘ପ୍ଲେୟର ଅଫ ଦ ମ୍ୟାଚ୍ ’ ରହିଥିଲେ ଏବଂ ସେହି ସମୟରେ ତାଙ୍କ ବୟସ ୩୯ ବର୍ଷ ଏବଂ ୩୬ଦିନ ଥିଲା । ଯେତେବେଳେ ସେ ୩୦ଅକ୍ଟୋବର ୧୯୮୯ରେ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତ ଲାଗି ନିଜ ଶେଷ ଓ୍ବାନଡେ ମ୍ୟାଚ୍ ଖେଳିଥିଲେ ।

ଅନ୍ତର୍ଜାତୀୟ ଫର୍ମାଟରେ ପ୍ରାୟ ୧୯,୯୦୨ରନ୍ କରିବା ପରେ ରୋହିତ ୨୦,୦୦୦ରନର ସଂଖ୍ୟା ପାର୍ କରିଥିବା ଇତିହାସର ଚତୁର୍ଥ ଭାରତୀୟ ହେବାରେ କେବଳ ୯୮ରନ୍ ଦୂରରେ ଅଛନ୍ତି । ଏହି ଲିଷ୍ଟରେ ପ୍ରଥମରୁ ତେନ୍ଦୁଲକର, ବିରାଟ କୋହଲୀ ଏବଂ ରାହୁଲ ଦ୍ରାବିଡ଼ ସାମିଲ ଅଛନ୍ତି । ଏହି ସମୟରେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ସବୁଠାରୁ ଅଧିକ ଶତକ ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମାଙ୍କ ନାଁ ରହିଛି । ଉଭୟେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୪୫-୪୫ ଶତକ ଲଗାଇଛନ୍ତି । ଆଜିର ମ୍ୟାଚରେ ଯଦି ରୋହିତ ଶର୍ମା ଶତକ ଲଗାନ୍ତି ଓପନର ଭାବେ ଅଧିକ ଶତକ ଲଗାଇବା ମାମଲାରେ ସଚିନଙ୍କଠାରୁ ଆଗକୁ ଯିବେ । ସେହିଭଳି ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ଅଧିକ ଶତକ ଲଗାଇବାର ରେକର୍ଡ଼ ଡେଭିଡ ଓ୍ବାର୍ଣ୍ଣରଙ୍କ ନାଁରେ ରହିଛି । ଓ୍ବାର୍ଣ୍ଣର ୪୬ଶତକ ଲଗାଇଛନ୍ତି । ରୋହିତ ଗୋଟିଏ ଶତକ ଲଗାଇବା ପରେ ଓପନର ଭାବେ ସବୁଠାରୁ ଅଧିକ ଶତକ ଲଗାଇବା ମାମଲାରେ ଓ୍ବାର୍ଣ୍ଣରଙ୍କ ସମକକ୍ଷ ହୋଇଯିବେ ।