ଭୁବନେଶ୍ୱର,୨୧/୦୭: ଗାଁ ଗଣ୍ଡା ରାସ୍ତାର ବିକାଶ ହେବ । ପଞ୍ଚାୟତ, ବ୍ଲକକୁ  ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯିବ ।  ଯେଉଁ ରାସ୍ତାଗୁଡ଼ିକ ପିଚୁ ହୋଇନଥିବ ତୁରନ୍ତ  ଉନ୍ନତୀକରଣ କାମ ଆରମ୍ଭ ହେବ । ଏଥିପାଇଁ  ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇଟି  ଆର୍ଥିକ ବର୍ଷ ପାଇଁ ୨ କୋଟି ଲେଖାଏଁ ଅନୁମୋଦନ କରିଛନ୍ତି ସରକାର । ଗ୍ରାମାଞ୍ଚଳରେ ଥିବା ୧୪୨ଟି  ନିର୍ବାଚନମଣ୍ଡଳୀକୁ ଏ ସ୍ୱତନ୍ତ୍ର ପାଣ୍ଠି ମିଳିବ । ପ୍ରଥମ ବର୍ଷ ପାଣ୍ଠିରେ ୨୦ଟି ରାସ୍ତାର ନବୀକରଣ କରାଯିବ । ରାସ୍ତା ନବୀକରଣ ପାଇଁ ସର୍ବନିମ୍ନ ୫ଲକ୍ଷ ଲେଖାଏଁ ଏଷ୍ଟିମେଟ୍‌ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି ।

ରାଜ୍ୟର ଗ୍ରାମାଞ୍ଚଳରେ ଏବେ ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି । ରାଜ୍ୟ ସରାକାର ଗମନାଗମନକୁ ଗୁରୁତ୍ୱ ଦେଉଥିଲାବେଳେ ଗ୍ରାମାଞ୍ଚଳର ଜନସାଧାରଣଙ୍କ  ପାଇଁ ପିଚୁ ରାସ୍ତା କରିବାକୁ ଅଣ୍ଟା ଭିଡ଼ିଛନ୍ତି । କୌଣସି ଯୋଜନାରେ ନବୀକରଣ ହୋଇପାରୁନଥିବା ଗ୍ରାମ୍ୟ ରାସ୍ତାକୁ ପିଚୁ କରିବାକୁ  ସ୍ଥିର ହୋଇଛି । ତେବେ ପିଏଜିଏସ୍‌ୱାଇ,  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କିମ୍ବା ଅନ୍ୟ କୌଣସି  ରାଜ୍ୟ ଯୋଜନାରେ ନିର୍ମିତ ରାସ୍ତାର ଯଦି ୫ ବର୍ଷ  ରକ୍ଷଣାବେକ୍ଷଣ ଅବଧି ଥିବ ତେବେ ଏଥିରେ  ଅନ୍ତର୍ଭୁକ୍ତ ହୋଇପାରିବନି । ଏହି ରାସ୍ତା କାମ  ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର  ପ୍ଲାନ ପ୍ରସ୍ତୁତ କରିବେ । ନିର୍ବାହୀ ଯନ୍ତ୍ରୀ ଟେଣ୍ଡର  କରି କାମ କରିବେ । କାମର ଗୁଣାତ୍ମକ ମାନକୁ  ମଧ୍ୟ ଅଗ୍ରାଧିକାର ଦିଆଯିବ । ଏ ବାବଦକୁ ଟଙ୍କା  ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବରାଦ ବଜେଟ ପାଣ୍ଠିରୁ  ଖର୍ଚ୍ଚ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।  ଚଳିତ ଆର୍ଥିକ ବର୍ଷରେ ଦୁଇ ଆର୍ଥିକ ବର୍ଷର ପାଣ୍ଠି  ଯୋଗାଣ ହେବ । 

ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରସ୍ତାବିତ  ରାସ୍ତାଗୁଡ଼ିକ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ  ବିଧାୟକଙ୍କ ସୁପାରିସରେ କରାଯିବ । ବଳକା  ୫୦ ପ୍ରତିଶତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗର  ସୁପାରିସରେ ହେବ । ଏହି ରାସ୍ତା ଉନ୍ନତୀକରଣ  ଦ୍ୱାରା ଗାଁ ଗଣ୍ଡାର ଲୋକମାନେ ସୁବିଧାରେ ଯାତାୟତ କରିପାରିବେ । ଶିକ୍ଷା, ସ୍ୱାସ୍ଥ୍ୟସେବା,  ପଞ୍ଚାୟତ କିମ୍ବା ବ୍ଲକକୁ ଯିବା ଆସିବାରେ ସୁବିଧା  ହେବ । ଏହାଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କ  ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ।