ନୂଆଦିଲ୍ଲୀ: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋହନ ଭାଗବତ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି । ମୁଁ ହିନ୍ଦୁ ଧର୍ମର ଆଚାର୍ଯ୍ୟ, ମୁଁ ଜଗଦଗୁରୁ । ତେଣୁ ହିନ୍ଦୁ ଧର୍ମ ଉପରେ ମୋର ଅନୁଶାସନ ରହିବ । ସେ ଏକ ସଂଗଠନର ପ୍ରମୁଖ । ତାଙ୍କୁ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ।’ କେବଳ ଏତିକି ନୁହେଁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ପୂର୍ବରୁ ସଂଘ କିଛି ଅଲଗା ଥିଲା, ଏବେ ସଂଗଠନ ବଦଳି ଯାଇଛି ।
ରାମଭଦ୍ରାଚାର୍ଯ୍ୟ ଆହୁରି କହିଛନ୍ତି, ଆମେ ମନ୍ଦିର ଖୋଜୁ ନାହୁଁ । ଯେଉଁ ସ୍ଥାନରେ ସର୍ଭେ ଆଧାରରେ ମନ୍ଦିର ମିଳିଛି, ଆମେ ସେଠାରେ ମନ୍ଦିର ଲାଗି ଦାବି କରୁଛୁ । କୌଣସି ମନ୍ଦିର ହଜି ଯାଇନାହିଁ, ଅଧୀକାର ଦାବି କରିବା ପାପ ନୁହେଁ । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସଂଘ ପ୍ରମୁଖଙ୍କ ଆଡ଼କୁ ଇସାରା କରି କହିଛନ୍ତି, ‘ସେ ଯାହା କହିଛନ୍ତି, ମୋତେ ବ୍ୟଥିତ କରିଛି । ରାମ ମନ୍ଦିର ନିର୍ମାଣ ହେବା ପରେ କିଛି ବ୍ୟକ୍ତି ଏହାକୁ ପ୍ରସଙ୍ଗ କରି ନେତା ହେବାକୁ ଚାହୁଁଛନ୍ତି । ଆମେ ନେତା ହେବାକୁ ଚାହୁଁନୁ । ଅଧୀକାର ପାଇଁ ସଂଘର୍ଷ କରୁଛୁ, କରିବୁ । ତାଙ୍କୁ (ମୋହନ ଭାଗବତ) ଏଭଳି ଶବ୍ଦର ବ୍ୟବହାର କରିବା ଉଚିତ ନଥିଲା ।’
ସୂଚନାଯୋଗ୍ୟ, ଡିସେମ୍ବର ୧୯, ଗୁରୁବାର ପୁଣେରେ ଆୟୋଜିତ ‘ହିନ୍ଦୁ ସେବା ମହୋତ୍ସବ’ର ଉଦଘାଟନ ସମୟରେ ଆରଏସ୍ଏସ ମୁଖ୍ୟ ମୋହନ ଭାଗବତ କହିଥିଲେ, ରାମ ମନ୍ଦିର ଲାଗି ହିନ୍ଦୁଙ୍କ ମନରେ ଶ୍ରଦ୍ଧା ରହିଛି । କିନ୍ତୁ ରାମ ମନ୍ଦିର ନିର୍ମାଣ ପରେ କିଛି ଲୋକଙ୍କୁ ଲାଗୁଛି ଅନ୍ୟ ସ୍ଥାନରେ ଏଭଳି ପ୍ରସଙ୍ଗ ଉଠାଇ ହିନ୍ଦୁଙ୍କ ନେତା ହୋଇପାରିବେ । ଏହା ସ୍ବୀକାର ଯୋଗ୍ୟ ନୁହେଁ । ଦେଶରେ ମନ୍ଦିର-ମସଜିଦକୁ ନେଇ ଅନେକ ପ୍ରସଙ୍ଗ ସାମ୍ନାକୁ ଆସୁଥିବା ବେଳେ ମୋହନ ଭାଗବତଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଆରାଧନା ସ୍ଥଳ ଅଧିନିୟମକୁ ନେଇ ଜାରି ଚର୍ଚ୍ଚା ମଧ୍ୟରେ ଦେଶରେ ସମ୍ଭଲ, ମଥୁରା, ଆଜମେର ଏବଂ କାଶୀ ସମେତ ବିଭିନ୍ନ ସ୍ଥାନରେ ଥିବା ମସଜିଦ ପ୍ରାଚୀନ ସମୟରେ ମନ୍ଦିର ଥିଲା ବୋଲି ଦାବି ହେଉଛି । ଆରଏସ୍ଏସ ମୁଖ୍ୟ ମୋହନ ଭାଗବତ ଏହାକୁ ନେଇ ଚନ୍ତା ପ୍ରକାଶ କରିବା ସହ ମନ୍ଦିର-ମସଜିଦ୍ ଚ୍ୟାପ୍ଟର କ୍ଲୋଜ୍ କରିବା ଉପରେ ଜୋର ଦେଇଥିଲେ । ହେଲେ ମୋହନ ଭାଗବତଙ୍କ ମନ୍ତବ୍ୟକୁ ସାଧୁସନ୍ଥମାନେ ବିରୋଧ କରିଛନ୍ତି ।