ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରିଲା ରୁକୁଣା ରଥ ନିର୍ମାଣ: ଆଜି ରଥଗଡ଼ାରେ ନେତ ଉତ୍ସବ, ନିଲାମ ହେବ ମରିଚି କୁଣ୍ଡ ପାଣି

Published By : Prameya | April 4, 2025 9:03 AM

ଭୁବନେଶ୍ୱର ୦୪/୦୪: ଧାର୍ଯ୍ୟ ସମୟରେ ମହାରଣା ସେବାୟତ ସାରିଛନ୍ତି  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ  କାମ । ଗୁରୁବାର ସନ୍ଧ୍ୟାରେ ନବ ନିର୍ମିତ  ରଥକୁ ହସ୍ତାନ୍ତର କରାଯାଇଛି । ପୂର୍ତ୍ତ ବିଭାଗ  ରଥକୁ ଯାଞ୍ଚ କରିଛି । ଶୁକ୍ରବାର ସନ୍ଧ୍ୟାରେ  ରଥଗଡ଼ାରେ ବିଧିମତେ ନେତ ଉତ୍ସବ  ନୀତି ସନ୍ଧ୍ୟା ଧୂପ ପରେ ଆରମ୍ଭ ହେବ ।  ଗଣମାଧ୍ୟମକୁ ଗୁରୁବାର ଏହି ସୂଚନା ଦେଇଛନ୍ତି  ସୁପରଭାଇଜର ରାଜ କିଶୋର ମହାପାତ୍ର ।  

ନେତ ଉତ୍ସବ ପୂଜାରେ ଯୋଗଦେବେ ଗଜପତିଙ୍କ ପ୍ରତିନିଧି ରାଜଗୁରୁ ସେବାୟତ ।  ସେବାୟତମାନେ ମୁକ୍ତେଶ୍ୱର ମନ୍ଦିରରେ ଥିବା  ମରିଚି କୁଣ୍ଡରୁ ରଥ ପ୍ରତିଷ୍ଠା ନିମନ୍ତେ ପାଣି ଗରା ଆଣିବେ । ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ପାଇଁ  ଯିବା ପରେ ବଡ଼ୁ ନିଯୋଗ ତରଫରୁ ନିଃସନ୍ତାନ ଦମ୍ପତିଙ୍କୁ ପରବର୍ତ୍ତି ପାଣି ଗରା ଗଡ଼ିକ ନିଲାମ କରି ବିକ୍ରି କରାଯିବ । ସେପଟେ ମହାଖଳା ଗଡ଼ାରେ ଠାକୁରଙ୍କ ରଥ ପ୍ରତିଷ୍ଠା ଓ ପଞ୍ଚବକ ପୂଜା କରାଯିବ । ପଞ୍ଚବକ ବିରାଜ କରିବା  ପରେ ରଥରେ ନେତ ଲାଗି ହେବ । ଶେଷରେ ବଡ଼ ସିଂହାର ବେଶ ଓ ପହଡ଼ ପଡ଼ିବ । ଦରଜୀ ସେବାୟତ ମଧ୍ୟ ରଥ ଚାରି ଦୁଆର ଓ ଅନ୍ୟାନ୍ୟ  ଅଂଶରେ କପଡ଼ା ଆବରଣ କରିବେ । ଯଦି ରଥ  ପ୍ରତିଷ୍ଠା ନୀତି ନିର୍ଦ୍ଧାରିତ ସମୟରେ ସମାପନ  ହେବ ତା’ହେଲେ ଶନିବାର ଅଶୋକାଷ୍ଟମୀରେ  ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ସାଢ଼େ ୩ଟାରେ ଆରମ୍ଭ ହେବ ବୋଲି ସେବାୟତ ମାନେ କହିଛନ୍ତି । 

ଏଥର ରଥ ଯାତ୍ରାରେ ସୁରକ୍ଷା ନିମନ୍ତେ  ଡିସିପିଙ୍କ ନେତୃତ୍ୱରେ ସମୁଦାୟ ୧୩ ପ୍ଳାଟୁନ  ଫୋର୍ସ ମୁତୟନ କରାଯିବ । ଏତଦ୍‌ଭିନ୍ନ ୫୭  ଜଣ ଏସ୍‌ଆଇ,୨୧ ଜଣ ଏଏସଆଇ, ୬ ଜଣ  ଇନିସପ୍ଟେର, ୨ଜଣ ଏସିପି ଓ ୨ ଜଣ ଅତିରିକ୍ତ  ଡିସିପି ମଧ୍ୟ ଉପସ୍ଥିତ ରହିବେ ବୋଲି ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.