ଭୁବନେଶ୍ୱର,୦୩/୦୪: ଦଶ କି ୨୦ ହଜାର ନୁହେଁ । ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଯନ୍ତ୍ରୀ । ୧ ଲକ୍ଷ  ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ  ଗିରଫ କରିଛି । ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଏହି ବାବୁ ଜଣଙ୍କ  ହେଲେ ଗ୍ରାମ୍ୟ ନିର୍ମାଣ (ଜନସ୍ୱାସ୍ଥ୍ୟ) ବିଭାଗ ସହକାରୀ ଯନ୍ତ୍ରୀ  (ଏଇ) ନରେଶ କୁମାର ଦାସ । ଭିଜିଲାନ୍ସ ଅଧିକାରୀମାନେ ୧  ଲକ୍ଷ ଲାଞ୍ଚ ଟଙ୍କାକୁ ସହ ତାଙ୍କ ପାଖରୁ ୨ ଲକ୍ଷ ୨୬ ହଜାର  ଟଙ୍କା ଏବଂ ଭଡ଼ା ଘରୁ  ୧.୩୦ ଲକ୍ଷ ଟଙ୍କା ସମେତ ନଗଦ ୩.୫୬ ଟଙ୍କା ଜବତ କରାଯାଇଛି।

ଜଣେ ଠିକାଦାରଙ୍କର ୭ ଲକ୍ଷ ଟଙ୍କା  ବିଲ୍‌ ବାକି ଥିଲା । ଉକ୍ତ ବିଲ୍‌ ପାସ୍‌ ପାଇଁ ଠିକାଦାର ଜଣଙ୍କ  ନରେଶଙ୍କ ପାଖକୁ ଯାଇଥିଲେ । ନରେଶ ବିଭିନ୍ନ ବାହାନାରେ  ଦିନ ଗଡ଼ାଇ ଚାଲିଥିଲେ । ତେବେ ଗତ ସପ୍ତାହରେ ଠିକାଦାରଙ୍କୁ  ନରେଶ କହିଥିଲେ ଦେଢ଼ ଲକ୍ଷ ଟଙ୍କା ଦେଲେ ୭ ଲକ୍ଷ ଟଙ୍କାର  ବିଲ୍‌ ପାସ୍‌ କରି ଦେବେ । ଏତେ ଟଙ୍କା ଦେବାକୁ ନରେଶ ରାଜି  ହୋଇ ନଥିଲେ । ଶେଷରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା । ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସ ଅଫିସ୍‌ରେ ଜଣାଇଥିଲେ ।  ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଯୋଜନା କରିଥିଲେ ।  

ବୁଧବାର ଟଙ୍କା ନେଇ ଅଫିସ୍‌ ଆସିବାକୁ କହିଥିଲେ ନରେଶ ।  ଏଇଙ୍କ କଥା ମାନି ଠିକାଦାର ୧ ଲକ୍ଷ (୫ଶହ ଟଙ୍କିଆ) ନେଇ  ପ୍ରଥମେ ଭିଜିଲାନ୍ସ ଅଫିସ୍‌କୁ ଯାଇଥିଲେ । ପୂର୍ବରୁ ଉକ୍ତ ଟଙ୍କାରେ  ଥିବା ସିରିୟଲ୍‌ ନମ୍ବର ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀମାନଙ୍କ  ଉପସ୍ଥିତରେ ଲେଖି ରଖିଥିଲେ । ତା’ପରେ ଉକ୍ତ ଟଙ୍କାରେ  କେମିକାଲ୍‌ ବୋଳି ଠିକାଦାରଙ୍କୁ ଦେଇଥିଲେ ଭିଜିଲାନ୍ସ ଟିମ୍‌ ।  ଟଙ୍କା ନେଇ ଅଫିସ୍‌ରେ ସେ ଏଇଙ୍କୁ ଦେଇଥିଲେ ଠିକାଦାର । ଏହି  ସମୟରେ ଭିଜିଲାନ୍ସ ଟିମ୍‌ ନରେଶଙ୍କୁ ଗିରଫ କରିଥିଲା । ତା’ପରେ  ନରେଶଙ୍କ ଅଫିସ୍‌ ଚ୍ୟାମ୍ବର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ  ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ବିଷୟରେ  ସେ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି  ନଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି କୋର୍ଟ  ଚାଲାଣ କରିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ତାଙ୍କ ଘରେ ଚଢ଼ଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି ।