ନୂଆଦିଲ୍ଲୀ, ୨୫।୯: ଇରାନ ସହ ରୁଷର ଗୁପ୍ତ ଡିଲ୍ । ଇରାନରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ବୁଧବାର ମସ୍କୋରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ରୁଷ ପରମାଣୁ ସଂସ୍ଥା ରୋଜାଟମର ମୁଖ୍ୟ ଆଲେକ୍ସି ଲିଖାଚେଭ ଏବଂ ଇରାନର ପରମାଣୁ ମୁଖ୍ୟ ମହମ୍ମଦ ଇସଲାମି ଦସ୍ତାବିଜରେ ସ୍ୱାକ୍ଷର କରିଥିଲେ । ଇରାନର ଉପରାଷ୍ଟ୍ରପତି ମହମ୍ମଦ ଇସଲାମି କହିଛନ୍ତି ଯେ, ଇରାନ ୨୦୪୦ ସୁଦ୍ଧା ୨୦ ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରୁଛି । ଏହାକୁ ହାସଲ କରିବା ପାଇଁ, ୮ଟି ନୂତନ ପରମାଣୁ କେନ୍ଦ୍ର ନିର୍ମାଣ କରାଯିବ ଏଥିମଧ୍ୟରୁ ୪ଟି ଦକ୍ଷିଣ ପ୍ରଦେଶ ବୁଶେହରରେ ରହିବ । ଏହା ଇରାନକୁ ଗ୍ରୀଷ୍ମଋତୁରେ ବିଦ୍ୟୁତ୍ ଅଭାବରୁ ମୁକ୍ତି ଦେବ ।

ବର୍ତ୍ତମାନ, ଦକ୍ଷିଣ ସହର ବୁଶେହରରେ ଅବସ୍ଥିତ ଇରାନରେ କେବଳ ଗୋଟିଏ ପରମାଣୁ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ଏହା ରୁଷ ଦ୍ୱାରା ନିର୍ମିତ ଏବଂ ଏହାର କ୍ଷମତା ଗିଗାୱାଟ୍ । କହିରଖୁଛୁ ଯେ, ଜୁନ୍ ୧୩ ତାରିଖରେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନ ଏବଂ ସାମରିକ ଘାଟି ଉପରେ ଏକ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇରାନର ଶୀର୍ଷ ସେନା କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କ ସମେତ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଜବାବ ଦେଇଥିଲା, ଯେଉଁଥିରେ ଡର୍ଜନ ଡର୍ଜନ ଇସ୍ରାଏଲୀ ପ୍ରାଣ ହରାଇଥିଲେ । ଆମେରିକା ମଧ୍ୟ ଇରାନର ତିନୋଟି ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ମାଡ଼ କରିଥିଲା । ସେପ୍ଟେମ୍ବର ୧୧ ​​ତାରିଖରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସ୍ୱୀକାର କରିଥିଲେ ଯେ, ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ପରେ ଇରାନର ଉଚ୍ଚ-ଗ୍ରେଡ୍ ୟୁରାନିୟମ୍ ଭଣ୍ଡାର ଭଗ୍ନାବଶେଷ ତଳେ ପୋତିହୋଇ ରହିଛି । ଏଜେନ୍ସି କହିଛି ଯେ ଜୁନ୍ ମାସରେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରଠାରୁ ଇରାନର କାର୍ଯ୍ୟକଳାପ ଉପରେ କୌଣସି ସୂଚନା ମିଳିପାରିନାହିଁ ।