ନୂଆଦିଲ୍ଲୀ,୧୪।୫: ମଧ୍ୟ ପ୍ରାଚ୍ୟରେ ଜାରି ଯୁଦ୍ଧ ଓ ପାର୍ସିଆନ୍ ଗଲଫ୍ରେ ବଢୁଥିବା ବିବାଦ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରିଛି। ଏହା ଭିତରେ ଭାରତ ରୁଷ ଓ ଆମେରିକାରୁ ତୈଳ କ୍ରୟ ନେଇ ରିହାତି ନେଇ ଅପିଲ କରିଛି। ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ପକ୍ଷରୁ ଓ୍ବାଶିଂଟନକୁ କୁହାଯାଇଛି ବର୍ତ୍ତମାନର ସ୍ଥିତିରେ ଶକ୍ତି ଯୋଗାଣ ବଜାୟ ରଖିବା ଖୁବ୍ ଜରୁରୀ, କାରଣ ତୈଳ ବଜାରରେ ଜାରି ଅସ୍ଥିରତାର ପ୍ରଭାବ ସିଧାସଳଖ ଭାବରେ ଭାରତର ଅର୍ଥବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ଉପରେ ପଡିପାରେ।
ଆମେରିକା ପ୍ରଥମ ଥର ମାର୍ଚ୍ଚରେ ଭାରତ ଓ ଅନ୍ୟ ଦେଶଙ୍କୁ ରୁଷରୁ ତେଲ କିଣିବା ପାଇଁ ବିଶେଷ ଭାବରେ ରିହାତି ଦେଇଥିଲା। ଏହାପରେ ଏହାକୁ ବଢାଇ ୧୬ ମଇ ୨୦୨୬ କରି ଦିଆଯାଇଥିଲା। ଏହି କାରଣରୁ ଭାରତ ରିହାତି ହାର ଉପରେ ରୁଷରୁ ବଡ ପରିମାଣ ଅଶୋଧିତ ତୈଳ କ୍ରୟ କରି ପାରୁଛି। ତେବେ ୟୁକ୍ରେନ୍ ଯୁଦ୍ଧ ପରେ ଆମେରିକା ଲଗାତାର ଚାପ ପକାଉଥିଲା ଯେ, ସେ ରୁଷରୁ ତେଲ କିଣିବା କମ୍ କରୁ, ଯାହାଫଳରେ ମସ୍କୋ ଉପରେ ଆର୍ଥିକ ଚାପ ବଢି ଯିବ, କିନ୍ତୁ ଏବେ ଇରାନ ଯୁଦ୍ଧ ଓ ହର୍ମୁଜ ଷ୍ଟେ୍ରଟ୍ ଉତ୍ତେଜନା କାରଣରୁ ବିଶ୍ବ ତୈଳ ସପ୍ଲାଇ ପ୍ରଭାବିତ ହେଉଛି, ଯାହାଫଳରେ ଭାରତର ଚିନ୍ତା ବଢିଯାଇଛି।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଭାରତୀୟ ଅଧିକାରୀ ଆମେରିକାକୁ କହିଛନ୍ତି, ଯଦି ତୈଳ ବଜାରରେ ଅସ୍ଥିରତା ଜାରି ରହେ, ତେବେ ଏହାର ଗମ୍ଭୀର ସାମାଜିକ ଓ ଆର୍ଥିକ ପ୍ରଭାବ ହୋଇପାରେ। ବିଶେଷ ଭାବରେ ଭାରତ ଭଳି ଦେଶ, ଯେଉଁଠି ୧୪୦କୋଟିରୁ ଅଧିକ ଲୋକଙ୍କ ଶକ୍ତି ଆବଶ୍ୟକତା ବହୁତ ବଡ। ପୂର୍ବରୁ ହିଁ କୁକିଂ ଗ୍ୟାସର ଅଭାବ ଭଳି ସମସ୍ୟା ସାମନାକୁ ଆସିଛି। ଭାରତର ତୈଳ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ବର୍ତ୍ତମାନ ଏହି ମାମଲାରେ ସାର୍ବଜନୀକ ଟିପ୍ପଣୀ ଦେଇ ନାହାନ୍ତି। ସେଭଳି ଆମେରିକାର ଟ୍ରେଜରୀ ବିଭାଗ ପକ୍ଷରୁ କୌଣସି ଔପଚାରିକ ଜବାବ୍ ଆସିନାହିଁ।
ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ସାମିଲ ହେବା ପୂର୍ବରୁ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି, ରୁଷ ଏହା ସୁନିଶ୍ଚତ କରୁଛି ଯେ, ଭାରତର ଏନର୍ଜୀ ସିକ୍ୟୁରିଟି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି। ସେ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଇ ପାରିବି ରୁଷ ଏନର୍ଜି ସପ୍ଲାଇରେ ଭାରତ ପ୍ରଭାବିତ ହେବ ନାହିଁ। ଏହି ଅନୁଚିତ ପ୍ରତିଯୋଗିତା ଆମର ଚୁକ୍ତିନାମାକୁ କ୍ଷତି ପହଞ୍ଚାଇ ନପାରେ ତାହା ନିଶ୍ଚିତ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ।
ଏହା ଭିତରେ ଭାରତ ମଇ ମାସରେ ରେକର୍ଡ ସ୍ତରରେ ରୁଷରୁ ତୈଳ ଆମଦାନୀ କରୁଛି। ଇକୋନୋମିକ୍ସ ଟାଇମ୍ସର ଡାଟା ଫର୍ମ କ୍ଲେପର କହିଛି, ମଇରେ ଭାରତ ପ୍ରତିଦିନ ପ୍ରାୟ ୨୩ ଲକ୍ଷ ବ୍ୟାରେଲ୍ ରୁଷ ତୈଳ ଆମଦାନୀ କରୁଛି। ଅନୁମାନ କରାଯାଉଛି ଯେ, ପୁରା ମାସର ଆଭରେଜ୍ ପ୍ରାୟ ୧୯ ଲକ୍ଷ ବ୍ୟାରେଲ୍ ପ୍ରତିଦିନ ହୋଇପାରେ, ଯାହାକି ଏବେ ବି ଖୁବ୍ ବଡ଼ ସଂଖ୍ୟା ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ମିଡିଲ ଇଷ୍ଟରେ ସଂଘର୍ଷ ଦୀର୍ଘ ଦିନ ହୋଇଥିବା କାରଣରୁ ଭାରତ ରୁଷରୁ ଶାସ୍ତାରେ ତୈଳ ଆଣିବା ଉପରେ ନିଜର ନିର୍ଭରତା ଆହୁରି ବଢାଇ ପାରିବ, କାରଣ ଏହାଦ୍ବାରା ଘରୋଇ ଇନ୍ଧନର ଦାମ୍ ନିୟନ୍ତ୍ରିତ ରହିବାରେ ସାହାଯ୍ୟ ମିଳିବ ।
ଆହୁରି ପଢନ୍ତୁ :ହୋର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ,କଣ କହିଲା ଭାରତ ?