ପ୍ରମୂଖ ଖବର
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଟ୍ରମ୍ପ୍‌-ପୁଟିନ୍‌ ଚର୍ଚ୍ଚା ବ୍ୟର୍ଥ ! ରାତିସାରା ଡ୍ରୋନ୍‌, ମିସାଇଲ୍‌ ମାଡ଼ କଲା ରୁଷ୍‌, ଶକ୍ତିକେନ୍ଦ୍ର, ଭିତ୍ତିଭୂମିକୁ କଲା ଛାରଖାର

Published By : Prameya | March 20, 2025 9:59 AM

ୱାଶିଂଟନ/ମସ୍କୋ/କିଏଭ, ୨୦/୦୩:  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ୯୦ ମିନିଟ୍‌ ଚର୍ଚ୍ଚା ପରେ ୟୁକ୍ରେନ୍‌ରେ ଯୁଦ୍ଧବିରତି ନେଇ ଆଶା  ପ୍ରକାଶ ପାଇଥିଲା । ବିଶ୍ୱବାସୀ ସାମୟିକ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଏହି ଆଲୋଚନା ଯେ ବ୍ୟର୍ଥ ଯାଇଛି, ତାହା ରୁଷ୍‌ର ସଦ୍ୟ ଭୟାନକ ହମ୍‌ଲାରୁ ଏକରକମ ସ୍ପଷ୍ଟ ହୋଇଯାଇଛି । ୟୁକ୍ରେନ୍‌ ଉପରେ  ରାତିତମାମ ରୁଷୀ ସେନା ଡ୍ରୋନ୍‌ ଓ ମିସାଇଲ୍‌  ଦ୍ୱାରା ଆକ୍ରମଣ କରିଛନ୍ତି । ୟୁକ୍ରେନ୍‌ର ଶକ୍ତିକେନ୍ଦ୍ର  ଓ ଭିତ୍ତିଭୂମିକୁ କରିଦେଇଛନ୍ତି ଛାରଖାର । ଏମିତି  କି ଦୁଇଟି ହସ୍ପିଟାଲକୁ ବି ଧ୍ୱଂସ କରିଦେଇଛନ୍ତି । 

ମଙ୍ଗଳବାର ଟ୍ରମ୍ପ୍‌-ପୁଟିନ୍‌ ୯୦ ମିନିଟ୍‌  ଫୋନ୍‌ରେ କଥା ହୋଇଥିଲେ । ଟ୍ରମ୍ପ୍‌ ୩୦ ଦିନିଆ  ଯୁଦ୍ଧବିରତି ନେଇ ପ୍ରସ୍ତାବ ରଖିଥିଲା ବେଳେ ପୁଟିନ୍‌ ସବୁଜ ସଙ୍କେତ ଦେଇଥିଲେ । ଏହାକୁ  ନେଇ ୟୁକ୍ରେନ୍‌ବାସୀ କିଛିଟା ଆଶ୍ୱସ୍ତି ଅନୁଭବ କରିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ କଥାରେ ପୁଟିନ୍‌ ରାଜି ହୋଇଥିବାରୁ ଯୁଦ୍ଧ ଥମିବା ଆଶା  ଉଜ୍ଜୀବିତ ବୋଲି ସେମାନେ ଭାବିଥିଲେ । କିନ୍ତୁ ଦୁଇନେତାଙ୍କ ଚର୍ଚ୍ଚାର ମାତ୍ର କେଇଘଣ୍ଟା ପରେ ୟୁକ୍ରେନ୍‌ ଥରିବାକୁ ଲାଗିଥିଲା । ରାତିରେ ହିଁ ପୁଟିନ୍‌  ସେନା ଭୀଷଣ ଏୟାର ଷ୍ଟ୍ରାଇକ୍‌ କରିଥିଲେ । 

ରୁଷ୍‌ର ଏହି ଆକ୍ରମଣକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କଡ଼ା  ନିନ୍ଦା କରିଛନ୍ତି । ଫିନ୍‌ଲାଣ୍ଡର ହେଲ୍‌ସିଙ୍କି ଗସ୍ତରେ  ଥିବା ଜେଲେନ୍‌ସ୍କି ପୁଟିନ୍‌ଙ୍କ ଏଭଳି ଦୋମୁହାଁ  ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ପୁଟିନ୍‌  ଏଭଳି ଭୟାନକ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପ୍‌ଙ୍କ ୩୦ ଦିନିଆ ଯୁଦ୍ଧବିରତି ପ୍ରସ୍ତାବକୁ ସିଧାସଳଖ ଭାବେ  ପ୍ରତ୍ୟାଖ୍ୟାନ କରିଦେଇଥିବା ଅଭିଯୋଗ କରିଛନ୍ତି ସେ । ସାମ୍ବାଦିକଙ୍କୁ ସୂଚନା ଦେଇ ଜେଲେନ୍‌ସ୍କି  କହିଛନ୍ତି, ମଙ୍ଗଳବାର ରାତିରେ ରୁଷ୍‌ର ସେନା  ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି, ପରିବହନ ବ୍ୟବସ୍ଥା  ଓ ଦୁଇଟି ହସ୍ପିଟାଲ ଉପରେ ୧୫୦ରୁ ଅଧିକ  ଡ୍ରୋନ୍‌ ମାଡ଼ କରିଥିଲେ ।ଏମିତି କି ଘନ ଘନ ମିସାଇଲ ବି ମାଡ଼  କରିଥିଲେ । ପୁଟିନ୍‌ଙ୍କ କଥା ବାସ୍ତବତାଠାରୁ  ବେଶ୍‌ ପୃଥକ୍‌ ବୋଲି ଜେଲେନ୍‌ସ୍କି କହିଥିଲେ । 

ହେଲ୍‌ସିଙ୍କିରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ  ଉପସ୍ଥିତ ଥିବା ଫିନଲାଣ୍ଡ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର  ଷ୍ଟବ୍‌ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପ୍ରସ୍ତାବରେ  ରୁଷ୍‌ କେବଳ ହଁ କିମ୍ବା ନାହିଁରେ ଜବାବ ଦେବା ଉଚିତ ।  ଏଥିରେ କୌଣସି ସର୍ତ୍ତ ରଖାଯାଇ ପାରିବ ନାହିଁ ।  ସେହିଭଳି ଯୁଦ୍ଧକୁ ନେଇ ପୁଟିନ୍‌ ଖେଳ ଖେଳୁଥିବା  ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ମତପ୍ରକାଶ କରିଛନ୍ତି । 

ରୁଷ୍‌ର ସଦ୍ୟ ଆକ୍ରମଣରେ ସ୍ତବ୍ଧ ଜେଲେନ୍‌ସ୍କି  ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ହୋଇଥିବା  ୯୦ ମିନିଟ୍‌ ଚର୍ଚ୍ଚା ବାବଦରେ ଜାଣିବା ଲାଗିଟ୍ରମ୍ପ୍‌ଙ୍କ  ସହ କଥା ହୋଇଛନ୍ତି । ଆଲୋଚନା ପରେ ସାମ୍ବାଦିକଙ୍କ  ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍‌ କହିଛନ୍ତି, ବୁଝାମଣା ପ୍ରକ୍ରିୟା  ଠିକ୍‌ ବାଟରେ ଚାଲିଛି । ଆମେ ପ୍ରାୟ ୧ ଘଣ୍ଟା ଧରି  ଆଲୋଚନା କରିଛୁ । ବିଶେଷକରି ପୁଟିନ୍‌ଙ୍କ ସହ  ଗତକାଲି ହୋଇଥିବା ମୋର ଚର୍ଚ୍ଚା ବାବଦରେ ଆମେ କଥା ହୋଇଛୁ । ରୁଷ୍‌ ଓ ୟୁକ୍ରେନ୍‌ର ଆବଶ୍ୟକତାକୁ  ଦୃଷ୍ଟିରେ ରଖି ଆମେ ଆଲୋଚନା କରିଛୁ । 

ଟ୍ରମ୍ପ୍‌ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇଥିବା  ଚର୍ଚ୍ଚା ବାବଦରେ ଅଧିକ ସୂଚନା ଦେଇ ହ୍ୱାଇଟ୍‌ ହାଉସ୍‌  ପ୍ରେସ୍‌ ସଚିବ କାରୋଲିନ୍‌ ଲିଭିଟ୍‌ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଚମତ୍କାର ଆଲୋଚନା ହୋଇଛି । ଆମେରିକାର ନିରନ୍ତର ସମର୍ଥନ ବିଶେଷକରି  ଜାଭେଲିନ୍‌ ମିସାଇଲ ଲାଗି ଜେଲେନ୍‌ସ୍କି ଧନ୍ୟବାଦ  ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନେତୃତ୍ୱରେ ଦୀର୍ଘସ୍ଥାୟୀ  ଶାନ୍ତି ହାସଲ କରାଯାଇ ପାରିବ ବୋଲି ସେ ଆଶାବ୍ୟକ୍ତ  କରିଛନ୍ତି । ଏହି ସମୟରେ କୁର୍ସ୍କରେ ଚାଲିଥିବା ଯୁଦ୍ଧ  ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଜେଲେନ୍‌ସ୍କି  ଅଧିକ ବାୟୁ ପ୍ରତିରକ୍ଷା ସହାୟତା ଲୋଡ଼ିଛନ୍ତି । 

ଖୁବଶୀଘ୍ର ଏକ ବୈଷୟିକ ବୈଠକ ବସିବା ନେଇ  ଆଶା କରାଯାଉଛି । ଏଥିରେ ବ୍ଲାକ୍‌ ସି’ରେ ବ୍ୟାପକ  ଯୁଦ୍ଧବିରତି ନେଇ ଆଲୋଚନା ହେବ । ଜେଲେନ୍‌ସ୍କିଙ୍କ  ସହ ଆଲୋଚନା ବେଳେ ୟୁକ୍ରେନୀୟ ଶକ୍ତି ଭିତ୍ତିଭୂମିର  ‘ଆମେରିକୀୟ ମାଲିକାନା’ ଦ୍ୱାରା ୟୁକ୍ରେନ୍‌କୁ  ଫାଇଦା ମିଳିବା ନେଇ ଟ୍ରମ୍ପ୍‌ ମତ ଦେଇଥିଲେ ।  ଉଭୟ ନେତା ପରସ୍ପର ସହ ଯୋଗାଯୋଗରେ  ରହିବା ନେଇ ସହମତି ପ୍ରକାଶ କରିଥିଲେ । 

ଏହା ପୂର୍ବରୁ ବୁଧବାର ରୁଷ୍‌ ଓ ୟୁକ୍ରେନ୍‌ ପରସ୍ପରର  ୧୭୫ ଲେଖାଏଁ ଯୁଦ୍ଧବନ୍ଦୀଙ୍କୁ ଫେରାଇଥିଲେ । ବସ୍‌  ଯୋଗେ ୧୭୫ ୟୁକ୍ରେନୀୟ ଯୁଦ୍ଧବନ୍ଦୀ ପ୍ରଥମେ ଉତ୍ତର  ଚେର୍ନିହିବ ଅଞ୍ଚଳରେ ପହଞ୍ଚିଥିଲେ । ଅଧିକାଂଶ  ଯୁଦ୍ଧବନ୍ଦୀ ଆହତ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲ ପଠାଯାଇଥିଲା । ବୁଧବାର ରୁଷ୍‌ ପକ୍ଷରୁ ପୁଣି  ୟୁକ୍ରେନ୍‌ର ଭିତ୍ତିଭୂମି ଉପରେ ହମ୍‌ଲା ହୋଇଛି । 

ସୂଚନା ମୁତାବକ, ଦିନିପ୍ରୋଠାରେ ରେଳ ଭିତ୍ତିଭୂମି  ଉପରେ ଆକ୍ରମଣ ହୋଇଛି । ଏଥିରେ ୪ ଜଣ ଶ୍ରମିକ  ଆହତ ହୋଇଛନ୍ତି । ଦୁଇଜଣ ଗୁରୁତର ଅଛନ୍ତି । ଅନ୍ୟପକ୍ଷରେ ମଙ୍ଗଳବାର ଟ୍ରମ୍ପ୍‌ ଓ ପୁଟିନ୍‌ଙ୍କ  ମଧ୍ୟରେ ହୋଇଥିବା ଟେଲିଫୋନ୍‌ ବାର୍ତ୍ତା ନେଇ ବୁଧବାର ନୂଆ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି  ଯେ ଫୋନ୍‌ରେ କଥା ହେବା ପୂର୍ବରୁ ଟ୍ରମ୍ପ୍‌ଙ୍କୁ ପ୍ରାୟ ୧  ଘଣ୍ଟା ଧରି ଅପେକ୍ଷା କରାଇଥିଲେ ପୁଟିନ୍‌ । 

ରିପୋର୍ଟ ମୁତାବକ, ଟ୍ରମ୍ପ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା  ଲାଗି ସ୍ଥାନୀୟ ସମୟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା  (ଭାରତୀୟ ସମୟ ହିସାବରେ ସନ୍ଧ୍ୟା ୬.୩୦ରୁ ରାତି  ୮.୩୦) ଧାର୍ଯ୍ୟ ହୋଇଥିଲା । କିନ୍ତୁ ପୁଟିନ୍‌ ଘଣ୍ଟାଏ  ବିଳମ୍ବରେ ଅର୍ଥାତ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟାରେ  କ୍ରେମ୍‌ଲିନ୍‌ (ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ)ରେ ପହଞ୍ଚିଥିଲେ । କୁହାଯାଉଛି ଯେ ରୁଷ୍‌ ରାଜଧାନୀ ମସ୍କୋରେ ଏକ  ବିଶେଷ କାର୍ଯ୍ୟକ୍ରମରେ ପୁଟିନ୍‌ ସାମିଲ ହୋଇ ଶିଳ୍ପପତି  ଓ ବ୍ୟବସାୟୀଙ୍କୁ ସମ୍ବୋଧନ କରୁଥିଲେ । ଏହି କାର୍ଯ୍ୟକ୍ରମ  ଟ୍ରମ୍ପ୍‌ଙ୍କ ସହ କଥାବାର୍ତ୍ତା ପୂର୍ବରୁ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଘଣ୍ଟାଏ ପର୍ଯ୍ୟନ୍ତ ବଢ଼ିବାରୁ ଟ୍ରମ୍ପ୍‌ଙ୍କ ସହ  ଧାର୍ଯ୍ୟ ସମୟରେ ଆଲୋଚନା ହୋଇପାରି ନ ଥିଲା । ଅପରାହ୍ନ ୪ଟା ବାଜିବା ପରେ କାର୍ଯ୍ୟକ୍ରମର  ପରିଚାଳକ ତଥା ପୁଟିନ୍‌ଙ୍କ ସହଯୋଗୀ ଆଲେକଜାଣ୍ଡର  ଶାଖିନ ନିଜ ଘଣ୍ଟାକୁ ବାରମ୍ବାର ଦେଖିବା ସହ ପୁଟିନ୍‌ଙ୍କୁ  ଟ୍ରମ୍ପ୍‌ଙ୍କ ସହ ହେବାକୁ ଥିବା ଆଲୋଚନା ବାବଦରେ  ସ୍ମରଣ କରାଇଥିଲେ । କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି  ପେସ୍‌କୋଭ ମଧ୍ୟ ଟ୍ରମ୍ପ୍‌ଙ୍କ ସହ ହେବାକୁ ଥିବା  ଆଲୋଚନାର ସମୟ ନେଇ ଇସାରା କରିଥିଲେ ।  ପୁଟିନ୍‌ ସ୍ମିତହାସ୍ୟ ହସି ଏହାକୁ ଏଡ଼ାଇ ଆଗକୁ  ବଢ଼ିଥିଲେ । ତେବେ ଏ ବାବଦରେ ରୁଷ୍‌ କିମ୍ବା  ଆମେରିକା ପକ୍ଷରୁ କୌଣସି ବିବୃତି ସାମ୍ନାକୁ ଆସିନାହିଁ । 

ଭାରତୀୟ ସମୟ ମୁତାବକ, ସନ୍ଧ୍ୟା ୭ଟା  ୩୦ରେ ଟ୍ରମ୍ପ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା ଆରମ୍ଭ  ହୋଇଥିଲା । ନ୍ୟୁୟର୍କ ଟାଇମ୍ସ ମୁତାବକ, ପୁଟିନ୍‌ ୩୦  ଦିନ ପର୍ଯ୍ୟନ୍ତ ୟୁକ୍ରେନ୍‌ର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ  ନ କରିବାକୁ ରାଜି ହୋଇଥିଲେ । ୟୁକ୍ରେନ୍‌ ମଧ୍ୟ ରୁଷ୍‌ର  ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିବ ନାହିଁ ବୋଲି  ଟ୍ରମ୍ପ୍‌ କଥା ଦେଇଥିଲେ । କିନ୍ତୁ ରୁଷ୍‌ ପକ୍ଷରୁ ହୋଇଥିବା  ସଦ୍ୟ ଆକ୍ରମଣ ସବୁ ଭଣ୍ଡୁର କରିଦେଇଛି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଥମିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.