ନୂଆଦିଲ୍ଲୀ,୩।୮: ଆମେରିକୀୟ ଜିଓଲୋଜିକାଲ ସର୍ଭେ ଅନୁସାରେ, ରବିବାର ରୁଷର ସେଭେରୋ କରିଲସ୍କରୁ ୧୨୧ କିଲୋମିଟର ପୂର୍ବରେ ୭.୦ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଭାରତୀୟ ସମୟ ଅନୁସାରେ, ସକାଳ ପ୍ରାୟ ୧୧ ଟା ବେଳେ ଆସିଥିଳା। ଏହି ଭୂକମ୍ପ ପରେ କାମଚଟକା ଉପଦ୍ବୀପର କ୍ରଶେନିନିକୋଭ୍ ଜ୍ବାଳାମୂଖୀ ସକ୍ରିୟା ହୋଇଯାଇଥିଲା। ସିହ୍ନୁଆ ‘ନ୍ୟୁଜ ଏଜେନ୍ସି ଅନୁସାରେ ଭୂକମ୍ପର କେନ୍ଦ୍ର ୪୦.୮ କିଲୋମିଟର ଗଭୀରତାରେ ଥିଲା,ଯାହାର ସ୍ଥିତି ୫୦.୫୩ ଡିଗ୍ରୀ ଉତ୍ତର ଆକ୍ଷାଂଶ ଓ ୧୫୭.୮୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି।
ଏହି ଭୂକମ୍ପ କାରଣରୁ ରୁଷର କାଚଟକା ପ୍ରାୟଦ୍ବୀପର କ୍ରଶେନିନିକୋଭ୍ ଆଗ୍ନେୟଗିରି ଫାଟି ଯାଇଥିଲା। କାମଚଟକା ଭୋଲକେନିକ୍ ଇରପସନ୍ ରେସପନ୍ସ ଟିମ୍ (କେଭିଇଆରଟି) ଅନୁସାରେ ୧,୮୫୬ ମିଟର ଉଚ୍ଚା ଏହି ଆଗ୍ନେୟଗିରିରୁ ପ୍ରାୟ ୬୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଉଁଶ ଦେଖିବାକୁ ମିଳିଥିଲା। କେଭିଇଆରଟି ପ୍ରମୁଖ ଓଲଗା ଗିରିନା ଆରଆଇଏ ନୋଭୋସ୍ତି କହିଛନ୍ତି, ଏହା କ୍ରଶେନିନିକୋଭର ୬୦୦ ବର୍ଷରେ ପ୍ରଥମ ବିସ୍ଫୋରଣ।’ ଆଗ୍ନେୟଗିରି ପାଟିବା କାରଣରୁ ଲାଭା ଡୋମ୍ର ନିର୍ମାଣ ହେଉଛି। ଏହା ସହ ପ୍ରବଳ ବାଷ୍ପ ଏବଂ ଗ୍ୟାସର ନିର୍ଗମନ ସହିତ, ଉତ୍ତର ଦିଗରେ ଅବସ୍ଥିତ ଗର୍ତ୍ତରୁ ପାଉଁଶ ଲଗାତାର ବାହାରୁଛି।
ଏହି ଜ୍ୱାଳାମୁଖୀର ନାମକରଣ ରିସର୍ଚ୍ଚର ଷ୍ଟେପାନ୍ କ୍ରାଶେନିନିକୋଭଙ୍କ ନାମରେ କରାଯାଇଛି। ଏହି ଆଗ୍ନେୟଗିରି ରାଜଧାନୀ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ କ୍ରୋନୋଟସ୍କି ନେଚର ରିଜର୍ଭରେ ଅବସ୍ଥିତ ଏକ ବିଶାଳ କାଲଡେରା ମଧ୍ୟରେ ଦୁଇଟି ଷ୍ଟ୍ରାଟୋ ଭଲକାନୋକୁ ନେଇ ଗଠିତ। କ୍ରାସେନିନିକୋଭରେ ଶେଷ ଲାଭା ଉଦଗିରଣ ପ୍ରାୟ ୧୪୬୩ ମସିହାରେ ଘଟିଥିଲା କିନ୍ତୁ କୌଣସି ବିସ୍ଫୋରଣ ଘଟିନଥିଲା।