ନୂଆଦିଲ୍ଲୀ,୦୪/୦୯: ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୂର’ ବେଳେ ପରାକ୍ରମ ଦେଖାଇଥିଲା ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଏସ୍-୪୦୦’ । ପାକ୍ ବାୟୁସେନା ଯେତେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା, ସେ ସବୁକୁ ଆକାଶରେ ହିଁ ଧୂଆଁ କରିଦେଇଥିଲା । ରୁଷ୍ ଏବେ ଭାରତକୁ ଆହୁରି ଏସ୍-୪୦୦ ମିସାଇଲ୍ ଯୋଗାଇଦେବ । ଏ ନେଇ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିଥିବା ବୁଧବାର ରୁଷ୍ର ବରିଷ୍ଠ ପ୍ରତିରକ୍ଷା ରପ୍ତାନି ଅଧିକାରୀ ଦିମିତ୍ରି ଶୁଗାୟେଭ୍ କହିଛନ୍ତି ।ରୁଷୀୟ ସରକାରୀ ନ୍ୟୁଜ୍ ଏଜେନ୍ସି ‘ଟାସ୍’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି ।
ରୁଷ୍ର ଫେଡେରାଲ୍ ସର୍ଭିସ୍ ଫର୍ ମିଲିଟାରି-ଟେକ୍ନିକାଲ୍ କୋଅପରେସନ୍ର ମୁଖ୍ୟ ଶୁଗାୟେଭ୍ କହିଛନ୍ତି, ଭାରତ ପାଖରେ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ ଗଚ୍ଛିତ ରହିଛି । ଆହୁରି କିଛି ୟୁନିଟ୍ ଯୋଗାଣ ପାଇଁ ଆଲୋଚନା ଚାଲିଛି । ଖୁବଶୀଘ୍ର ଏ ନେଇ ଚୁକ୍ତି ହେବ । ଚୀନ୍ର ବର୍ଦ୍ଧିତ ସାମରିକ ଶକ୍ତିକୁ ଦୃଷ୍ଟିରେ ରଖି ୫ଟି ଏସ୍-୪୦୦ ଟ୍ରାୟମ୍ଫ ସିଷ୍ଟମ୍ ନେବା ପାଇଁ ମସ୍କୋରେ ୨୦୧୮ରେ ୫.୫ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା ଭାରତ । ଯୋଗାଣ ପରେ ଭାରତ ଏହାର ନୂଆ ନାମ ‘ସୁଦର୍ଶନ ଚକ୍ର’ ରଖିଥିଲା । ସେହି ସମୟର ଚୁକ୍ତି ଅନୁସାରେ ଭାରତ ଦୁଇଟି ୟୁନିଟ୍ ୨୦୨୬ ଓ ୨୦୨୭ରେ ପାଇବ । ଏହାଛଡ଼ା ଭାରତକୁ ରୁଷ୍ ସୁଖୋଇ-୫୭ ଯୁଦ୍ଧ ବିମାନ ଯାଗାଇଦେବ । ଏ ନେଇ ମଧ୍ୟ ଆଲୋଚନା ଚାଲିଛି । କୁହାଯାଉଛି ଯେ ଭାରତରେ ଏହାର ନିର୍ମାଣ ହେବ ।
ଚୀନ୍ର ତିଆନ୍ଜିନ୍ରେ ସୋମବାର ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଙ୍ଗଠନ ସମ୍ମିଳନୀ(ଏସ୍ସିଓ)ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଏସ୍-୪୦୦ ବାବଦରେ ଆଲୋଚନା ହୋଇଥିବା କୁହାଯାଉଛି । ତେବେ ଦ୍ୱିପାକ୍ଷିକ ଚର୍ଚ୍ଚା ପରେ ହିଁ ଶୁଗାୟେଭ୍ଙ୍କ ବୟାନ ସାମ୍ନାକୁ ଆସିଛି ।