ନୂଆଦିଲ୍ଲୀ,୨୧।୯: ଭାରତ ଉପରେ ପଡୁଛି ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଭାବ । ଏନେଇ ଗୋଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ ଷ୍ଟଡିରୁ ଜଣାପଡିଛି। ଏଥିରେ କୁହାଯାଇଛି ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଅସ୍ଥିର କୋଇଲା ବଜାର ଭଳି ବିଶ୍ବ ସଙ୍କଟ ଭାରତରେ ବିଜୁଳିର ଦାମ୍କୁ ପ୍ରଭାବିତ କରିଛି। ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଷ୍ଟଡିରୁ ଏହା ଜଣାପଡିଛି ଯେ ଭାରତ ‘ଡେ ଆହେଡ୍’ ବଜାରରେ ବିଜୁଳି ଦାମ୍ ‘ରିୟଲ ଟାଇମ୍ ମାର୍କେଟ’ର ଦାମ୍ରେ ଲଗାତାର ଅଧିକ କାହିଁକି। ଏଥିରେ ଜଣାପଡିଛି ଯେ, କୋଇଲାର ଦାମରେ ଅସ୍ଥିରତା, ଭୂ-ରାଜେନୈତିକ ବିପଦ, ଘରୋଇ ଆବଶ୍ୟକତା ଓ ନୀତିଗତ ଅନିଶ୍ଚିତତା ଏହାର ପ୍ରମୁଖ କାରଣ।
ରିୟଲ ଟାଇମ୍ ମାର୍କେଟରେ ସାଧାରଣତଃ ଆବଶ୍ୟକତାର ଗୋଟିଏ ଘଣ୍ଟା ପୂର୍ବରୁ ବିଦ୍ୟୁତ୍ ଯୋଗାଣ ସମୟରେ ବିଦ୍ୟୁତ୍ କାରବାର ହୁଏ। ଡେ-ଆହେଡ୍ ମାର୍କେଟ (DAM)ରେ, ବିଦ୍ୟୁତ୍ ବାସ୍ତବିକ ବ୍ୟବହାରର ଗୋଟିଏ ଦିନ ପୂର୍ବରୁ କିଣାବିକା ହୁଏ। ପ୍ରତିଷ୍ଠିତ ଜର୍ଣ୍ଣାଲ ‘ଏନର୍ଜି ଇକୋନୋମିକ୍ସ’ରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ ଏହା ପ୍ରମାଣିତ କରିଥିବା ଦାବି କରିଛି। ଏହା ଅନୁସାରେ ଭାରତୀୟ ପରିବାର ଏବଂ ବ୍ୟବସାୟ ସଂସ୍ଥା ନିରନ୍ତର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଧିକ ପ୍ରିମିୟମ ଦେଉଛନ୍ତି। ଗୋଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ସହଯୋଗୀ ପ୍ରଫେସର ପ୍ରକାଶ ସିଂହଙ୍କ ଅନୁଯାୟୀ, ରୁଷ-ୟୁକ୍ରେନ ଯୁଦ୍ଧ ଅଧିକ ପ୍ରିମିୟମ ଏବଂ ବଜାର ଅସ୍ଥିରତାକୁ ଯଥେଷ୍ଟ ବୃଦ୍ଧି କରିଛି।
ସିଂହ କହିଛନ୍ତି, ଭୂ-ରାଜନୈତିକ ବିପଦ ଏବଂ ଅର୍ଥନୈତିକ ନୀତି ଅନିଶ୍ଚିତତା ଉଭୟ ପ୍ରିମିୟମକୁ ବୃଦ୍ଧି କରିଛି। ଭାରତର ବିଦ୍ୟୁତ୍ ବଜାରଗୁଡ଼ିକ ବିଶ୍ୱସ୍ତରୀୟ ଅସ୍ଥିରତା ଏବଂ ଘରୋଇ ଯୋଗାଣ ପ୍ରତିବନ୍ଧକ ସହିତ ସଂଘର୍ଷ କରୁଛି। ଆମର ଅଧ୍ୟୟନ ଏହା ଉପରେ ଆଲୋକପାତ କରେ ଯେ, ଉନ୍ନତ ବଜାର ସ୍ଥିରତା ବିନା, ଭାରତୀୟ ଗ୍ରାହକ ଏବଂ ବ୍ୟବସାୟଙ୍କୁ ଭୂ-ରାଜନୈତିକ ସଙ୍କଟ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ଥିରତାର ପରିଣାମ ଭୋଗିବାକୁ ପଡୁଛି।