ନୂଆଦିଲ୍ଲୀ: ଗୁରୁବାର ୟୁକ୍ରେନର ରାଜଧାନୀ କିଭ୍ ସହର ଉପରେ ରୁଷ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୫ ଶିଶୁ ସମେତ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଆଜି (ଶୁକ୍ରବାର) ସହରରେ ଏକ ସରକାରୀ ଶୋକ ଦିବସ ପାଳନ କରାଯାଇଛି। ଆକ୍ରମଣରେ ୧୫୦ ରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବରରେ ସହରରେ ବିମାନ ଆକ୍ରମଣ ଆରମ୍ଭ ହେବା ପରଠାରୁ ଏହା କିଭ୍ ଉପରେ ହୋଇଥିବା ଗୋଟିଏ ଆକ୍ରମଣରେ ସର୍ବାଧିକ ଶିଶୁ ମୃତ ଏବଂ ଆହତ ହୋଇଛନ୍ତି । 

ଜେଲେନ୍ସକି କହିଛନ୍ତି କି,"ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି,ଯେଉଁଥିରେ ୫ ଜଣ ପିଲା ମଧ୍ୟ ଅଛନ୍ତି। ସବୁଠାରୁ ସାନ ପିଲାଟି ମାତ୍ର ଦୁଇ ବର୍ଷ ବୟସର ଥିଲା। ମୃତକଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା। ୧୬ ଜଣ ପିଲାଙ୍କ ସମେତ୧୫୯ ଜଣ ଆହତ ହୋଇଛନ୍ତି। ସମସ୍ତେ ବର୍ତ୍ତମାନ ଆବଶ୍ୟକୀୟ ଚିକିତ୍ସା ସହାୟତା ପାଉଛନ୍ତି। ମୁଁ ଉଦ୍ଧାରକାରୀ,ପୋଲିସ ଅଧିକାରୀ, ଡାକ୍ତର, ନର୍ସ ଏବଂ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ସମସ୍ତଙ୍କ ପ୍ରତି କୃତଜ୍ଞ।''




ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ, ପୁଣି ଥରେ, ରୁଷର ଏହି ବର୍ବର ଆକ୍ରମଣ ମସ୍କୋ ଉପରେ ଚାପ ବୃଦ୍ଧି ଏବଂ ଅତିରିକ୍ତ କଟକଣାର ଆବଶ୍ୟକତାକୁ ଦର୍ଶାଉଛି। କ୍ରେମଲିନ୍ ଏହି କଟକଣାର ପ୍ରଭାବକୁ ଯେତେ ଅସ୍ୱୀକାର କଲେ ମଧ୍ୟ,ସେଗୁଡ଼ିକୁ ଆହୁରି ଦୃଢ଼ କରାଯିବା ଆବଶ୍ୟକ। ଏହି ଆକ୍ରମଣ ବିଷୟରେ ବିଶ୍ୱ ନୀରବ ରହିବା ମଧ୍ୟ ଉଚିତ୍ ନୁହେଁ । ଯେଉଁମାନେ ଆମ ଲୋକଙ୍କୁ ସମର୍ଥନ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମେ ପ୍ରଶଂସା କରୁଛୁ ଯେ ରାଷ୍ଟ୍ରପତି ଟ୍ରମ୍ପ, ୟୁରୋପୀୟ ନେତା ଏବଂ ଅନ୍ୟ ସହଯୋଗୀ ମାନେ କ'ଣ ଘଟୁଛି ତାହା ସ୍ପଷ୍ଟ ଭାବରେ ଦେଖୁଛନ୍ତି ଏବଂ ରୁଷକୁ ନିନ୍ଦା କରୁଛନ୍ତି ।