ନୂଆଦିଲ୍ଲୀ: ଖୁବଶୀଘ୍ର ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ହେବାକୁ ଯାଉଛି। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ନିଜେ ଆଜି (ରବିବାର) ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଏବଂ ରୁଷ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି, ଯାହାକି ପ୍ରାୟ ୧୨୦୦ ୟୁକ୍ରେନ୍ କଏଦୀଙ୍କୁ ମୁକ୍ତ କରିପାରିବ। ଜେଲେନ୍ସକିଙ୍କ ଏହି ଘୋଷଣା ଏଭଳି ଏକ ସମୟରେ ଆସିଛି, ଯେତେବେଳେକି ଜାତୀୟ ସୁରକ୍ଷା ମୁଖ୍ୟ ରୁସ୍ତମ୍ ଉମେରୋଭ ଶନିବାର ଆଲୋଚନାରେ ଅଗ୍ରଗତି ବାବଦରେ ଘୋଷଣା କରିଛନ୍ତି।

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବନ୍ଦୀ ମାନଙ୍କୁ ମୁକ୍ତ କରିବା ସମ୍ପର୍କରେ ଜେଲେନ୍ସକି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି, ଏଥିରେ ସେ କହିଛନ୍ତି କି,"ଆମେ ନିଶ୍ଚିତ ଯେ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟା ପୁନଃ ଆରମ୍ଭ ହେବ। ଏହାକୁ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ଅନେକ ବୈଠକ, ଆଲୋଚନା ଏବଂ ଫୋନ୍ ବାର୍ତ୍ତାଳାପ ଚାଲିଛି।"ସେ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ, ମାସ ମାସ ଧରି ରୁଷ ଜେଲରେ ବନ୍ଦୀ ଥିବା ୟୁକ୍ରେନ୍ ସୈନିକ ଏବଂ ସାଧାରଣ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଉମେରୋଭ ଶନିବାର କହିଛନ୍ତି ଯେ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଦ୍ୱାରା ମଧ୍ୟସ୍ଥତା ହୋଇଥିବା ଆଲୋଚନାରେ, ଉଭୟ ପକ୍ଷ କଏଦୀ ବିନିମୟ ଚୁକ୍ତିନାମା ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ତୁର୍କୀ ମଧ୍ୟସ୍ଥତାରେ ଆଲୋଚନା ହେଉଛି । ଏହା ଯଦି ସକ୍ରିୟ ହୁଏ, ତେବେ ୧୨୦୦ ୟୁକ୍ରେନୀୟଙ୍କୁ ମୁକ୍ତି ମିଳିବ। ଏହି ଚୁକ୍ତିନାମା ହେଉଛି ଏକ ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରୟାସ। ଯାହା ଗତ କିଛି ମାସ ଧରି ରୁଷ ଅନେକ ୟୁକ୍ରେନୀୟ ସୈନିକଙ୍କୁ ମୁକ୍ତ କରିବାକୁ ମନା କରିବା ପରେ ଅଟକି ଯାଇଥିଲା। ରୁଷ ଏହି ଦାବି ଉପରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ, କିନ୍ତୁ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ ମସ୍କୋ ସମସ୍ତ ପ୍ରସ୍ତାବ ଉପରେ ବିଚାର କରୁଛି।