ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧର ଅନ୍ତ ହେବାର ସମ୍ଭାବନା ରହିଛି । ୟୁକ୍ରେନ ଏବଂ ଏହାର ସହଯୋଗୀମାନେ ୩୦ ଦିନ ପାଇଁ ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏହି ଅସ୍ତ୍ରବିରତି ସୋମବାରଠାରୁ ଆରମ୍ଭ ହେବ । ୪ ୟୁରୋପୀୟ ଦେଶର ନେତାମାନେ ଶନିବାର କିଭ୍ରେ ପହଞ୍ଚିବା ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ବ୍ରିଟେନର ନେତାମାନେ କିଭରେ ପହଞ୍ଚି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ ଭେଟିଛନ୍ତି। ପୂର୍ବରୁ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଜୟ ଦିବସ ପରେଡ୍ ଯୋଗୁଁ ଏକପାଖିଆ ୭୨ ଘଣ୍ଟାର ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହି ସମୟରେ, ସେ ଏହା ମଧ୍ୟ କହିଥିଲେ ଯେ ରୁଷ ସୈନିକମାନେ ଯେକୌଣସି ଆକ୍ରମଣର ଉପଯୁକ୍ତ ଜବାବ ଦେବେ। ୟୁକ୍ରେନ ତା’ପରେ ରୁଷର ଏହି ପରେଡ୍କୁ 'ନକଲି ଦେଶପ୍ରେମ' ବୋଲି କହିଥିଲା ଏବଂ ରୁଷ ଦ୍ୱାରା ଘୋଷଣା କରାଯାଇଥିବା ଅସ୍ତ୍ରବିରତିକୁ ଫମ୍ପା ବୋଲି କହିଥିଲା।
ମାର୍ଚ୍ଚ ମାସରେ ଆମେରିକା ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ଦେଇଥିଲା । ଏହାକୁ ୟୁକ୍ରେନ ଗ୍ରହଣ କରିଥିଲା, କିନ୍ତୁ କ୍ରେମଲିନ୍ ନିଜ ପସନ୍ଦ ଅନୁଯାୟୀ ଅଧିକ ଅସ୍ତ୍ରବିରତି ସର୍ତ୍ତାବଳୀ ଉପରେ ଜୋର ଦେଇଥିଲା । ୟୁରୋପୀୟ ନେତାମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ‘ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ସମାଧାନ ପାଇଁ ଆହ୍ୱାନକୁ ସମର୍ଥନ କରୁଛୁ ଏବଂ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ପ୍ରୟାସକୁ ସହଯୋଗ କରିବାକୁ ରୁଷକୁ ଅନୁରୋଧ କରୁଛୁ।’
ନେତାମାନେ କହିଛନ୍ତି, ‘ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆମେ ରୁଷକୁ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ଆଲୋଚନା କରିବାକୁ ୩୦ ଦିନର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅସ୍ତ୍ରବିରତି ଲାଗି ରାଜି ହେବାକୁ ଆହ୍ୱାନ କରୁଛୁ।’ ଶନିବାର କିଭ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ଜର୍ମାନୀର ଚାନ୍ସଲର ଫ୍ରେଡରିକ ମର୍ଜ, ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ପହଞ୍ଚି ଆଲୋଚନା କରିଥିଲେ । ତେବେ ଜର୍ମାନୀର ଚାନସଲର ହେବା ପରେ ଫ୍ରେଡରିକ ମର୍ଜଙ୍କ ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ଥିଲା ।