ନୂଆଦିଲ୍ଲୀ,୨୫।୧୧: ରୁଷ ଓ ୟୁକ୍ରେନ୍ ଭିତରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଶାନ୍ତି ବାର୍ତ୍ତା ଚାଲିଛି,କିନ୍ତୁ ଏହା ଭିତରେ ୟୁକ୍ରେନ୍ ଉପରେ ପ୍ରବଳ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଦେଇଛି ରୁଷ। ମଙ୍ଗଳବାର ୟୁକ୍ରେନ୍ ଉପରେ ରୁଷ ବଡ଼ ଧରଣର ଆକ୍ରମଣ କରିଛି। ଫଳରେ ଅତି କମ୍ ୬ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଦକ୍ଷିଣ ରୁଷରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁସାରେ, ରୁଷ ଆକ୍ରମଣ ପରେ କିଭରେ ବିଜୁଳି, ପାଣି ଓ ହିଟିଂ ବ୍ୟବସ୍ଥା ବହୁ ପରିମାଣରେ ଠପ୍ ହୋଇଯାଇଛି। ଟେଲିଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ କିଭ୍ ଦାନିପ୍ରୋକ୍ସି ଜିଲ୍ଲାରେ ଏକ ୯ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। କିଭ୍ର ମେୟର ଭିଟାଳି କ୍ଲିସ୍ତସ୍କୋ କହିଛନ୍ତି, ଦାନିପ୍ରୋକ୍ସି ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେଭଳି ମଧ୍ୟ ପେଚେର୍ସ୍କ ଜିଲ୍ଲାରେ ଅନ୍ୟ ଏକ ଆବାସିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।
ଅନ୍ୟପକ୍ଷେ ରୁଷର ଦକ୍ଷିଣ ରୋସ୍ତେଭୋ ଅଞ୍ଚଳର ଟେଗ୍ରାନୋଗ ସହରରେ ରାତିସାରା ଚାଲିଥିବା ୟୁକ୍ରେନ୍ ଡ୍ରୋନ୍ ହମଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୮ ଆହତ ହୋଇଛନ୍ତି। ରୋସ୍ତେଭର ଗର୍ଭନର ୟୁରି ସଲ୍ୟୁସର କହିଛନ୍ତି ଆକ୍ରମଣରେ ଆବାସିକ ବିଲ୍ଡି, ବହୁ ମହଲା ବିଲ୍ଡିଂ, ଗୋଟିଏ ଗୋଦାମ ଏବଂ ପେଣ୍ଟ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସେଭଳି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ମଙ୍ଗଳବାର ରାତିରୁ ସକାଳ ପର୍ଯ୍ୟନ୍ତ ତା’ର ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନର ୨୪୯ ରୁ ଅଧିକ ଡ୍ରୋନକୁ ନଷ୍ଟ କରିଛି।