ନୂଆଦିଲ୍ଲୀ,୨୭।୭: ରୁଷ ୨୭ ଜୁଲାଇରେ ପ୍ରତିବର୍ଷ ପାଳନ କରୁଥିବା ନିଜର ପାରମ୍ପାରିକ ଓ ପ୍ରତିଷ୍ଠିତ ନୌସେନା ପରେଡକୁ ରଦ୍ଦ କରିଛି। ନୌସେନା ଦିବସ ଅବସରରେ ସେଣ୍ଟ ପିଟର୍ସବର୍ଗରେ ହେବାକୁ ଥିବା ପରେଡକୁ ସୁରକ୍ଷା ଦୃଷ୍ଟିରୁ ରଦ୍ଦ କରି ଦିଆଯାଇଛି। ବିଶେଷ କରି ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ମଧ୍ୟ ଏହି ପରେଡ୍ରେ ବ୍ୟକ୍ତିଗତ ଭାବରେ ସାମିଲ ହୋଇନଥିଲେ। ସେ କେବଳ ଏକ ଭିଡିଓ ବାର୍ତ୍ତା ଜରିଆରେ ନୌସେନାକୁ ସମ୍ବୋଧିତ କରିଛନ୍ତି। କାରଣ ଦିନକ ପୂର୍ବରୁ ୟୁକ୍ରେନ୍ ବହୁ ରୁଷ ସହର ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ହମଲା କରିଥିଲା। ଏଥିରେ ୧୦ ଡ୍ରୋନ୍ ସେଣ୍ଟ ପିଟର୍ସବର୍ଗରେ ମାଡ ହୋଇଥିଲା, ଯେଉଁଠି ଏହି ପରେଡ୍ ହେବାର ଥିଲା।
ରୁଷ ରାଷ୍ଟ୍ରପତି ଭବନ କ୍ରେମାଲିନ୍ର ମୁଖପାତ୍ର ଦିମିତ୍ରି ପେସେ୍କୋଭ କହିଛନ୍ତି, ଏହି ନିଷ୍ପତ୍ତି ବର୍ତ୍ତମାନର ଚିନ୍ତା ଓ ସୁରକ୍ଷାକୁ ଦେଖି ନିଆଯାଇଛି। ସୁରକ୍ଷା ହେଉଛି ସବୁଠାରୁ ଆଗରେ। ତେବେ ସେ ଏହା ମଧ୍ୟ କହିନାହାନ୍ତି ଯେ, ବିପଦ କାହା ପ୍ରତି ରହିଛି ? ସ୍ଥାନୀୟ ପ୍ରଶାସନ ଦିନକ ପୂର୍ବରୁ ପରେଡ୍ ରଦ୍ଦ ହେବାର ସୂଚନା ଦେଇଥିଲା, କିନ୍ତୁ ସେତେବେଳେ କୌଣସି ଅଫିସିଆଲ କାରଣ ଦିଆଯାଇନଥିଲା। ଏହି ପରେଡ୍ରେ ପ୍ରତି ବର୍ଷ ଯୁଦ୍ଧଜାହାଜ, ସବମରିନ୍ ଓ ନୌସେନାବାହିନୀର ଭବ୍ୟ ପ୍ରଦର୍ଶନ ହୋଇଥାଏ।
ନିକଟରେ ୟୁକ୍ରେନ୍ ପକ୍ଷରୁ ରୁଷ ଉପରେ ଡ୍ରୋନ୍ ଆକ୍ରମଣ ଜୋରଦାର ହୋଇଥିଲା। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଦାବି କରିଥିଲା ଗତ ରାତିରେ ୧୦୦ ୟୁକ୍ରେନୀୟ ଡ୍ରୋନ୍କୁ ନଷ୍ଟ କରି ଦିଆଯାଇଥିଲା। ଏଥିରେ ୧୦ଟି ଡ୍ରୋନ୍ ସେଣ୍ଟ ପିଟର୍ସବର୍ଗ ନିକଟରେ ରୋକା ଯାଇଥିଲା। ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିଲେ ଓ ପୁଲକୋଭୋ ଏୟାରପୋର୍ଟରେ ଉଡାଣ ବିଳମ୍ବରେ ହୋଇଥିଲା। ରାଷ୍ଟ୍ରପତି ପୁଟିନ୍ ପ୍ରଥମ ଥର ପରେଡ୍ଠାରୁ ଦୂରରେ ରହିଥିଲେ। ସେ ଏକ ରେକର୍ଡେଡ୍ ଭିଡିଓ ଜରିଆରେ ୟୁକ୍ରେନ୍ ଯୁଦ୍ଧରେ ସାମିଲ ରୁଷ ନୌସୈନିକଙ୍କ ବାହାଦୁରୀକୁ ପ୍ରଶଂସା କରିଥିଲେ।