ନୂଆଦିଲ୍ଲୀ:  ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷର ପ୍ରତିରକ୍ଷା ବଜେଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୨୫ ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ବଜେଟ୍‌କୁ ଅନୁମୋଦନ ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଦେଶର ମୋଟ ବଜେଟ୍‌ର ୩୨.୫ ପ୍ରତିଶତ ଅର୍ଥ ପ୍ରତିରକ୍ଷା କ୍ଷେତ୍ରକୁ ଦେଇଛନ୍ତି ପୁଟିନ୍‌ । ବଜେଟ୍‌ର ଏକ ତୃତୀୟାଂଣ ଅର୍ଥ ଦେଶର ପ୍ରତିରକ୍ଷା ଲାଗି ପୁଟିନ୍‌ ଆବଣ୍ଟିତ କରିବା ପରେ ସମଗ୍ର ବିଶ୍ବର ନଜର ଏବେ ମସ୍କୋ ଉପରେ ରହିଛି ।  ୨୦୨୪- ୨୦୨୫ ଲାଗି ଋଷର ପ୍ରତିରକ୍ଷା ବଜେଟ୍‌ ୧୨୬ ବିଲିୟନ୍‌ ଡଲାର (୧୩.୫ ଟ୍ରିଲିୟନ୍‌ ରୁବେଲ) । ଗତବର୍ଷ ତୁଳନାରେ ୨୮ ବିଲିୟନ୍‌ ଡଲାର ଅଧିକ ଦେଶର ସୁରକ୍ଷା ପାଇଁ ଦେଇଛନ୍ତି ପୁଟିନ୍‌ । 

ସେପଟେ ଋଷ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ଲାଗି ମିଳିତ ଭାବେ ଯେତିକି ଅର୍ଥ ଆବଣ୍ଟିତ କରୁଛି ତାଠୁ ଅଧିକ ଯୁଦ୍ଧରେ ଖର୍ଚ୍ଚ କରୁଛି ବୋଲି ‘ଦି କିଭ୍‌ ଇଣ୍ଡିପେଣ୍ଟଣ୍ଟ’ରେ ଖବର ପ୍ରକାଶ ପାଇଛି । ୨୦୨୫ ତୁଳାନରେ ୨୦୨୬ ଏବଂ ୨୦୨୭ ବର୍ଷ ଲାଗି ପ୍ରତିରକ୍ଷା ବଜେଟ୍‌ କମ୍ ରହିଛି । ୨୦୨୬ ଲାଗି  ୧୧୪.୯ ବିଲିୟନ୍‌ ଡଲାର ଏବଂ ୨୦୨୭ ଲାଗି ୧୨୨.୪ ବିଲିୟନ୍‌ ଡଲାର ଆବଣ୍ଟିତ ହୋଇଛି ।

ଋଷ ପୂର୍ବରୁ ୟୁକ୍ରେନ୍‌ ନିଜର ବଜେଟ୍‌ ନେଇ ଘୋଷଣା କରିଥିଲା । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶର ସୁରକ୍ଷା ଲାଗି ୫୩ ବିଲିୟନ୍‌ ଡଲାର ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ଏହି ଅର୍ଥ ଦେଶର ଜିଡିପିର ୨୬.୩ ପ୍ରତିଶତ ବୋଲି ଜଣାପଡ଼ିଛି ।  ତେବେ ଫେବୃଆରି ୨୦୨୨ରୁ ଆରମ୍ଭ ହୋଇଥିବା ୟୁକ୍ରେନ ଯୁଦ୍ଧ ଉଭୟ ମସ୍କୋ ଏବଂ କିଭ୍‌କୁ ପ୍ରଭାବିତ କରିଛି । ଦୁଇ ଦେଶର ସଂପତ୍ତି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । 

 ଦେଶରେ ମୁଦ୍ରାସ୍ଫିତୀ ସବୁ ରେକର୍ଡ ଭାଙ୍ଗି ଦେଇଛି । ସାଧାରଣ କାର୍ଯ୍ୟ ଲାଗି ଶ୍ରମିକ ଅଭାବ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ସେପଟେ ସ୍ଥିତିକୁ ଆୟତ୍ତ କରିବା ଲାଗି ଋଷର କେନ୍ଦ୍ରୀୟ ବ୍ୟାଙ୍କ ଗତ ଅକ୍ଟୋବରରେ ଇତିହାସରେ ପ୍ରଥମ ଥର ଲାଗି ସୁଧ ହାର ୨୧ ପ୍ରତିଶତକୁ ବୃଦ୍ଧି କରିଛି। ସେପଟେ ଯୁଦ୍ଧରେ ପଛରେ ପଡ଼ିଥିବା ୟୁକ୍ରେନ୍‌କୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପାଖରୁ ଆର୍ଥିକ ସହାୟତା ମିଳୁଛି।  ସୋମାବାର ଜର୍ମାନୀ ଅଧ ବିଲିୟନ୍‌ ଡଲାରର ସାମରିକ ସହାୟତା ଦେଇଛି । ଆମେରିକା ମଧ୍ୟ ୟୁକ୍ରେନ୍‌କୁ ସହାୟତା କରିଆସିଛି।  ଏବେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଆସିବାକୁ ଥିବା ବେଳେ ଆଗକୁ ଓ୍ବାଶିଂଟନ, କିଭ୍‌କୁ କେତେ ସହାୟତା କରିବ ତା ଉପରେ ନଜର ରହିବ ।