ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଆସିବେ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଋଷର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ପୁଟିନ କେବେ ଭାରତ ଆସିବେ ସେନେଇ ତାରିଖ ଖୁବଶୀଘ୍ର ଘୋଷଣା ହେବ । ନିକଟ ଭବିଷ୍ୟତରେ ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତ କରିବେ ବୋଲି ମଙ୍ଗଳବାର କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ ସୂଚନା ଦେଇଛନ୍ତି । ଯଦିଓ ପୁଟିନଙ୍କ ଗସ୍ତ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ପୁଟିନ ଭାରତ ଆସିଲେ ଦୁଇ ବନ୍ଧୁ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ସଂପର୍କ ଆହୁରି ମଜଭୁତ ହେବ । ସେପଟେ ନୂଆଦିଲ୍ଲୀ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ପୁଟିନଙ୍କ ଭାରତ ଗସ୍ତକୁ ନେଇ ଦିମିତ୍ରି ପେସକୋଭ୍ କହିଛନ୍ତି, ‘ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ଆଶା କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦୁଇ ଥର ଋଷ ଗସ୍ତ କରିବା ପରେ ନିଶ୍ଚିତ ଭାବେ ଆମ ରାଷ୍ଟ୍ରପତି ଭାରତ ଗସ୍ତ କରିବେ । ତେଣୁ ଆମେ ଏଥିପ୍ରତି ଯତ୍ନବାନ ରହିଛୁ ।’ ଚଳିତ ବର୍ଷ ଭାରତ ଏବଂ ଋଷ ନେତାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । ଦ୍ବିପାକ୍ଷିକ ସଂପର୍କ ସୁଦୃଢ଼ କରିବା ଉପରେ ଦୁଇ ଦେଶ ଜୋର ଦେଇଛନ୍ତି । ଗତ ସପ୍ତାହରେ ଋଷର ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟ୍ରୋଭ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତ-ଋଷ ସହଯୋଗ ଉପରେ ଆଲୋଚନା କରିଥିଲେ ।
#WATCH | Delhi: On the visit of President Putin to India, Press secretary for Russian President, Dmitry Peskov says, "I hope soon we'll work out the precise dates of his visit... Of course, after two visits of Prime Minister Modi to Russia, now we have a visit of President to… pic.twitter.com/zhl5GSFtgm
— ANI (@ANI) November 19, 2024
ସୂଚନାଯୋଗ୍ୟ, ଗତ ମାସ କାଜାନରେ ଆୟୋଜତି ୧୬ ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ୨୦୨୫ରେ ହେବାକୁ ଥିବା ୨୩ ତମ ଭରତ-ଋଷ ବାର୍ଷିକ ସମିଟ୍ରେ ଯୋଗ ଦେବାକୁ ପୁଟିନଙ୍କୁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ପୂର୍ବରୁ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀ ଋଷିଆ ଗସ୍ତ କରିଥିଲେ । ୨୦୨୨ରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଋଷ ଗସ୍ତ ଥିଲା ।