‘ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଅସୁରକ୍ଷିତ’: ଆମେରିକାର ନବନିର୍ବାଚତ ରାଷ୍ଟ୍ରପତିଙ୍କୁ ଚେତାଇଲେ ପୁଟିନ୍
ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜେଣ ଅଭିଜ୍ଞ ଏବଂ ଜ୍ଞାନୀ ରାଜନେତା କହି ଖୁବ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହା ସହ ଟ୍ରମ୍ପଙ୍କ ଜୀବନ ସୁରକ୍ଷିତ ନାହିଁ ବୋଲି ସେ ବିଶ୍ବାସ କରୁଥିବା କହିଛନ୍ତି । ଟ୍ରମ୍ପଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଥିଲା ଏହା ପରେ ତାଙ୍କର ଜୀବନ ପ୍ରତି ବିପଦ ରହିଛି ବୋଲି ଚେତାଇ ଦେଇଛନ୍ତି ପୁଟିନ । ଜୁଲାଇରେ ପନେସିଲଭାନିଆ ସହରରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ଏବଂ ସେ ଆହତ ହୋଇଥିଲେ । ଏହା ପରେ ସେପ୍ଟେମ୍ବରରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଥିଲା ।
କାଜଖାସ୍ତାନରେ ଆୟୋଜିତ ଏକ ସମ୍ମିଳନୀ ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ପୁଟିନ କହିଛନ୍ତି, ‘ଆମେରିକୀୟ ନିର୍ବାଚନ ରାଲିରେ ଯେଉଁଭଳି ବିଶୃଙ୍ଖଳା ଘଟିଲା ତାହା ମୋତେ ଆଶ୍ଚର୍ଯ୍ୟ କରିଛି । ଅସାମାଜିକ ପ୍ରକ୍ରିୟା ଆଧାରରେ ଟ୍ରମ୍ପଙ୍କୁ ବିରୋଧ କରାଗଲା । ତାଙ୍କୁ ଏକାଧିକ ଥର ହତ୍ୟା କରିବାକୁ ଚେଷ୍ଟା କରାଗଲା ।’ ଏହା ସହ ପୁଟିନ କହିଛନ୍ତି, ମୋ ମତରେ ଟ୍ରମ୍ପ ଏବେ ସୁରକ୍ଷିତ ନାହାନ୍ତି । ଆମେରିକା ଇତିହାସରେ ଏମିତି ଘଟଣା ଘଟିଛି । ମୁଁ ଭାବୁଛି ସେ ଜଣେ ବିଜ୍ଞ ବ୍ୟକ୍ତି ଏବଂ ସେ ଏ ବାବଦରେ ଜାଣିଛନ୍ତି ।
ଆମେରିକର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ସମେତ ତାଙ୍କ ପିଲା ଏବଂ ପରିବାରକୁ ବିରୋଧୀ ଯେଉଁ ଭଳି ଭାବରେ ସମାଲୋଚନା କରିଥିଲେ ତାହା ଆଶ୍ଚର୍ଯ୍ୟ କରୁଛି ବୋଲି ପୁଟିନ କହିଛନ୍ତି । ଅନ୍ୟପଟେ ବାଇଡେନ ପ୍ରଶାସନ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ଲାଗି ଅନୁମତି ଦେବା ଉପରେ ପୁଟିନ କହିଛନ୍ତି ଯେ, ଏହା ଟ୍ରମ୍ପଙ୍କୁ ନିର୍ବାଚନରୁ ଓହରିବାକୁ ବାଧ୍ୟ କରିବା ଲାଗି ଏକ ଯୋଜନା ହୋଇପାରେ କିମ୍ବା ଋଷ ସହ ଟ୍ରମ୍ପଙ୍କ ସଂପର୍କ ଖରାପ କରିବା ପାଇଁ ଏକ ଚାଲ୍ ହୋଇପାରେ । ଏହା ସହ ଯୁଦ୍ଧକୁ ନେଇ ଟ୍ରମ୍ପ ସମାଧାନର ରାସ୍ତା ବାହାର କରିପାରନ୍ତି ଏବଂ ମସ୍କୋ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ।
President Putin Donald Trump