ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଛକାପଞ୍ଚା ମଧ୍ୟରେ ଋଷ ଭାରତ ପାଇଁ ଏକ ବଡ ଘୋଷଣା କରିଛି। ଯାହା ଭାରତକୁ ଆଶ୍ୱସ୍ତି ପ୍ରଦାନ କରିଛି। ଆପଣଙ୍କୁ ଜଣାଇ ରଖୁ ଯେ ଋଷିଆ ଆସନ୍ତା ୨୦୨୫-୨୬ ସୁଦ୍ଧା ଭାରତକୁ ବାକିଥିବା ସମସ୍ତ S-400 ମିସାଇଲ ପ୍ରଦାନ କରିବା ବୋଲି ଘୋଷଣା କରିଛି। ସୋମବାର ଦିନ ଭାରତରେ ମିଶନର ଉପମୁଖ୍ୟ ରୋମାନ ବାବୁଶକିନ୍ କହିଛନ୍ତି ଯେ ସାମ୍ପ୍ରତିକ ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ଏହି ପ୍ରଣାଳୀ "ଅତ୍ୟନ୍ତ ଦକ୍ଷତାର ସହିତ" କାର୍ଯ୍ୟ କରିଥିଲା। ତେଣୁ ଋଷିଆ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳି ଯୋଗାଣରେ ଆଦୌ ବିଳମ୍ୱ କରିବା ନାହିଁ।
କେବଳ ସେତିକି ନୁହେଁ,ଋଷିଆ ଭାରତ ସହ ଦ୍ୱିପାକ୍ଷିକ ସମ୍ୱଦ୍ଧ ବଢାଇବା ପାଇଁ ଆହୁରି ଅଧିକ ବାୟୁ ପ୍ରତିରକ୍ଷା ପ୍ରଣାଳି ଓ ଆଣ୍ଟି-ଡ୍ରୋନ ବ୍ୟବସ୍ଥାର ଚୁକ୍ତି କରିବାକୁ ଯାଉଛି ବୋଲି ବାବୁଶକିନ୍ ସୂଚନା ଦେଇଛନ୍ତି। ଯାହା ଭାରତକୁ ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳି କରିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।
ଏନେଇ ବାବୁଶକିନ୍ କହିଥିଲେ ଯେ "ଆମେ ଜାଣିବାକୁ ପାଇଛୁ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ସଂଘର୍ଷ ସମୟରେ S-400 ବହୁତ ଦକ୍ଷତାର ସହିତ ପ୍ରଦର୍ଶନ କରିଥିଲା। ତେବେ ଉଭୟ ଦେଶ ମଧ୍ୟରେ ସହଯୋଗର ଏକ ଲମ୍ବା ଇତିହାସ ଅଛି। ଆମେ ଯାହା ଅନୁଭବ କରୁଛୁ, ୟୁରୋପ ଏବଂ ଏଠାକାର ପରିସ୍ଥିତି ଅନୁସାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଉଭୟ ଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହା ସାଧାରଣତଃ ପ୍ରତିରକ୍ଷା ପ୍ରସ୍ତୁତିରେ ଆମର ସହଭାଗୀର ଏକ ପ୍ରତିଶ୍ରୁତିପୂର୍ଣ୍ଣ ବିଷୟ,।"
ସୂଚନା ମୁତାବକ, ଗତକାଲି ୟୁକ୍ରେନ ଋଷିଆର ବିଭିନ୍ନ ସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ଋଷିଆର 40ରୁ ଅଧିକ ଯୁଦ୍ଧ ଜାହାଜ ସହ ଅନେକ ସୈନ୍ୟ ସ୍ଥଳି କ୍ଷତିଗ୍ରସ୍ତ ହୋଇଥିଲା। ଯାହାପରେ ଭାରତ ଋଷ ସହ ଚୁକ୍ତି କରିଥିବା ପ୍ରତିରକ୍ଷା ଉପକରଣ ମିଳିବାର ସମ୍ଭାବନାକୁ ନେଇ ସଂଶୟ ପ୍ରକଟ କରିଥିଲା। ଭାରତରେ ଥିବା ଋଷର ଇଣ୍ଡିଆ ମିଶନ ପ୍ରମୁଖଙ୍କ ଏହି ଘୋଷଣା ପରେ ଭାରତକୁ ବଡ ଆଶ୍ୱସ୍ତି ମିଳିଛି।