ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ମୁଣ୍ଡରେ ଆଘାତ ଲାଗିବା ପରେ ହୋଇଗଲା ନୃଶଂସ, ଆହୁରି ୧୧ ଜଣଙ୍କୁ ମାରିଛି ବୋଲି ମାନିଲା ‘ଚେସ୍‌ବୋର୍ଡ କିଲର’

Published By : Prameya | April 8, 2025 8:27 PM

ମସ୍କୋ,୮।୪: ରୁଷର ଜଣେ ସିରିଆଲ୍ କିଲର୍ ଯିଏ ନିଜକୁ ଭଗବାନ ବୋଲି ଭାବୁଥିଲା। ସେ ମଣିଷ ହତ୍ୟାକୁ ତା ଜୀବନର ଉଦ୍ଦେଶ୍ୟ ମାନି ନେଇଥିଲା। ଯିଏକି ଗୋଟିଏ ଗୋଟିଏ ହତ୍ୟାକୁ ଚେସବୋର୍ଡର ଘର ସହିତ ଯୋଡୁଥିଲା। ସେ ହେଉଛି ରୁଷର ଆଲେକଜାଣ୍ଡାର ପିଚୁସ୍କିନ। ୨୦୦୭ ମସିହାରେ ୪୮ ଜଣଙ୍କୁ ହତ୍ୟା କରିବା ନେଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଏବେ ଖବର ଆସିଛି ଯେ, ଜେଲରେ ଥିବା ସମୟରେ ସେ ଆଉ ୧୧ଟି ହତ୍ୟା କରିଥିବା ନେଇ ସ୍ବୀକାର କରିଛି। ଯଦି ଏହି ହତ୍ୟାକାଣ୍ଡ ପ୍ରମାଣିତ ହୁଏ, ତେବେ ସେ ରୁଷର ଦ୍ୱିତୀୟ ସବୁଠାରୁ ଭଙ୍କୟର ସିରିଏଲ କିଲର୍ ହୋଇଯିବ।

ପିଚୁସ୍କିନ୍ ବୃଦ୍ଧ, ବାସହୀନ ଏବଂ ମଦ୍ୟପମାନଙ୍କୁ ତାର ଶିକାର ଭାବରେ ବାଛୁଥିଲା। ସେ ୧୯୯୨ ରୁ ୨୦୦୬ ମଧ୍ୟରେ ମସ୍କୋର ବିଟ୍‌ସା ପାର୍କରେ ଏହି ହତ୍ୟା ସବୁ କରିଛି। ଯେହେତୁ ଗୋଟିଏ ଚେସବୋର୍ଡରେ ୬୪ଟି ଘର ଅଛି, ତା’ର ଲକ୍ଷ୍ୟ ଥିଲା ୬୪ ଜଣଙ୍କୁ ହତ୍ୟା କରିବ ଏବଂ ପ୍ରତ୍ୟେକ  ଘର 'ଗୋଟିଏ ଗୋଟିଏ ମୃତ୍ୟୁ'ରେ ପୂରଣ କରିବା। ଏହି କାରଣରୁ ତାକୁ 'ଚେସବୋର୍ଡ କିଲର' ଭାବରେ ଜଣାଯାଏ। ଏବେ ସେ ଦାବି କରିଛି ଯେ,୪୮ ନୁହେଁ ସେ ଆଉ ୧୧ ଟି ହତ୍ୟା କରିଛି।  ଯାହାକି ସେ ସ୍ବୀକାର କରିବାକୁ ପ୍ରସ୍ତୁତ। ଆଲେକ୍ସଜାଣ୍ଡାର୍ ପିଚୁସ୍କିନ୍‌ର ଜନ୍ମ ୯ ଏପ୍ରିଲ ୧୯୭୪ ରେ ମସ୍କୋ ଓବ୍ଲାଷ୍ଟର ମିଟିଚିରେ ହୋଇଥିଲା। ପିଲାବେଳେ ସେ ସାଧାରଣ ଏବଂ ମେଳାପୀ ସ୍ବଭାବର ଥିଲା। କିନ୍ତୁ ଥରେ ସେ ଦୋଳିରୁ ପଡିଯିବା ପରେ ତା ମୁଣ୍ଡରେ ଆଘାତ ଲାଗିଲା, ଯାହାକି ତା’ର ସ୍ୱଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲା। ଏହି ଆଘାତ ଦ୍ବାରା ପିଚୁସ୍କିନ୍‌ର ମସ୍ତିଷ୍କର ଫ୍ରଣ୍ଟାଲ୍ କର୍ଟେକ୍ସକୁ କ୍ଷତି ପହଁଞ୍ଚିଥିଲା, ଯାହା ଫଳରେ ତା’ର ଆକ୍ରାମକ ଏବଂ ହିଂସାତ୍ମକ ପ୍ରବୃତ୍ତି ବୃଦ୍ଧି ପାଇଥିଲା।

ସ୍କୁଲରେ ଅପମାନିତ ଏବଂ ଶାରୀରିକ ହିଂସାର ଶିକାର ହେବା ପରେ ପିଚୁସ୍କିନର ମାଆ ତାକୁ ସ୍ୱତନ୍ତ୍ର ପିଲାମାନଙ୍କ ପାଇଁ ଏକ ସ୍କୁଲରେ ନାମ ଲେଖାଇ ଦେଇଥିଲେ। କିନ୍ତୁ ବୁଦ୍ଧିମତାକୁ ଚିହ୍ନି ତା’ର ଅଜା ତାକୁ ଚେସ୍ ଖେଳିବାକୁ ଉତ୍ସାହିତ କଲେ। ସେ ବିଟ୍‌ସା ପାର୍କର ବୟସ୍କ ଲୋକଙ୍କ ସହିତ ଚେସ୍ ଖେଳିବା ଆରମ୍ଭ କଲା। କିନ୍ତୁ ମାନସିକ ଅସ୍ଥିରତା ଏବଂ କ୍ରୋଧ ତାକୁ ଏକ ବିପଦପୂର୍ଣ୍ଣ ଦିଗକୁ ନେଇଗଲା। ଅଜାଙ୍କ ମୃତ୍ୟୁ ପରେ, ସେ ତା’ର ମାଆଙ୍କ ପାଖକୁ ଫେରି ଆସିଥିଲା ଏବଂ ଧୀରେ ଧୀରେ  ହିଂସାତ୍ମକ ପ୍ରବୃତ୍ତି ବୃଦ୍ଧି ପାଇଥିଲା।

ପିଚୁସ୍କିନ୍‌  ପ୍ରଥମ ହତ୍ୟା ୧୯୯୨ ମସିହାରେ କରିଥିଲା। ତା’ର ବନ୍ଧୁ ମିଖାଏଲ୍ ଓଡିଚୁକ୍ ସହ ମିଶି ସହିତ ୬୪ଟି ହତ୍ୟା ଯୋଜନା କରୁଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମିଖାଏଲ୍  ପଛକୁ ହଟିଗଲା। ଏଥିରେ ରାଗି ମିଖାଏଲ୍‌କୁ ପିଚୁସ୍କିନ୍ ହତ୍ୟା କରି ତା’ର ମୃତଦେହକୁ ନର୍ଦ୍ଦମାରେ ଫିଙ୍ଗି ଦେଇଥିଲା। ଏହି ହତ୍ୟା କେବେ ପ୍ରମାଣିତ ହୋଇନଥିଲା ଏବଂ ସେ ବହୁ ବର୍ଷ ଧରି ଚୁପ୍ ରହିଥିଲା। କିନ୍ତୁ ୧୯୯୬ ରେ ରୁଷରେ ମୃତ୍ୟୁଦଣ୍ଡ ନିଷିଦ୍ଧ ହେବା ପରେ ସେ ପୁଣି ସକ୍ରିୟ ହୋଇଥିଲା।

୨୦୦୧ ରୁ ୨୦୦୫ ମଧ୍ୟରେ ସେ ପ୍ରାୟ ୩୬ଟି ହତ୍ୟା କରିଥିଲା। ସାଧାରଣତଃ ସେ ତା’ର ଶିକାରମାନଙ୍କୁ ଚେସ୍ ଖେଳିବା ବାହାନାରେ ପାର୍କକୁ ଡାକୁଥିଲା। ଏହାପରେ ସେମାନଙ୍କୁ ଭୋଡକା ଦେଉଥିଲା ଏବଂ ତା’ପରେ ପଛରୁ ସେମାନଙ୍କ ମୁଣ୍ଡକୁ ଆକ୍ରମଣ କରୁଥିଲା। କେତେବେଳେ ସେ ମୃତଦେହକୁ ନାଳରେ ଫିଙ୍ଗି ଦେଉଥିଲେ ତ ଆଉ କେତେବେଳେ ଖପୁରୀରେ ବୋତଲ କିମ୍ବା କାଠ ରଡ୍ ପୁରାଉଥିଲେ। ୨୦୦୫ ରୁ ୨୦୦୬ ମଧ୍ୟରେ, ତା‘ର ହତ୍ୟା ପଦ୍ଧତି ଆହୁରି ନିର୍ମମ ହୋଇଗଲା। ସେ ହତ୍ୟା କରିବା ପରେ ପୀଡିତଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇ ଖପୁରୀ ଭାଙ୍ଗି ଦେଉଥିଲା।  ବଡ଼ କଥା ହେଉଛି ଏହି ସମୟ ମଧ୍ୟରେ ସେ ନିଜ ଆପାର୍ଟମେଣ୍ଟ ବିଲ୍ଡିଂର ୧୦ ଜଣଙ୍କୁ ହତ୍ୟା କରିଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣ ସେହି ବିଲ୍ଡିଂରେ ରହୁଥିଲେ ଯେଉଁଠାରେ ପିଚୁସ୍କିନ୍ ଥିଲା।

ପିଚୁସ୍କିନ୍‌କୁ ଜୁନ୍ ୨୦୦୬ରେ ଗିରଫ କରାଯାଇଥିଲା। ସେ ତା’ର ଜଣେ ମହିଳା ସହକର୍ମୀ ମାରିନାଙ୍କୁ ହତ୍ୟା କରିଥିଲା। ମାରିନା ତାଙ୍କ ପୁଅକୁ ଏକ ନୋଟରେ ପିଚୁସ୍କିନର ନାମ ଲେଖିଥିଲେ, ଯାହା ପୋଲିସକୁ ତାକୁ ଗିରଫ କରିବାରେ ସାହାଯ୍ୟ କରିଥିଲା। ପଚରାଉଚରା ସମୟରେ ସେ ପ୍ରାୟ ସମସ୍ତ ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଥିଲା। ସେ ନିଜକୁ 'ଏହି ଲୋକମାନଙ୍କର ପିତା' କହିଥିଲା, ଯାହାଙ୍କୁ ଏକ ନୂତନ ଦୁନିଆକୁ ପଠାଇଥିଲା। ସେ କହିଥିଲା, "ଯେପରି ତୁମକୁ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ, ସେହିରି ମୋତେ ବଞ୍ଚିବା ପାଇଁ ହତ୍ୟା ଆବଶ୍ୟକ।‘ ୨୦୦୭ ରେ ତାକୁ ୪୯ ହତ୍ୟା ଓ ୩ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ସେ କୋର୍ଟଙ୍କୁ କହିଛି ଆହୁରି ୧୧ଟି ହତ୍ୟା ପାଇଁ ସେ ଦାୟୀ। ବର୍ତ୍ତମାନ ପିଚୁସ୍କିନ୍ ଆଣ୍ଟାର୍କଟିକା ନର୍ଥର ’ପୋଲାର ଆଉଲ୍’ ଜେଲ୍‌ରେ ବନ୍ଦ ଅଛି। ସେଠାରେ ତାକୁ ୧୫ ବର୍ଷର ଏକାନ୍ତ କାରାବାସ ଓ ଆଜୀବନ ସଜା ପ୍ରଦାନ କରାଯାଇଛି। ଯଦି ତା’ର ଆଉ ୧୧ ହତ୍ୟା ପ୍ରମାଣିତ ହୁଏ ତେବେ ସେ ମିଖାଇଲ ପୋପକୋଭ ପରେ ଋଷର ସବୁଠାରୁ ବିପଦଜନକ ସିରିଏଲ କିଲର ପାଲଟିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.