ୱାଶିଂଟନ,୨୨/୧ : ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କ୍ବାଡ ସମ୍ମିଳନୀ ଆରମ୍ଭ ହୋଇଥିଲା । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଥିଲେ । ୱାଶିଂଟନ ଡିସିରେ କ୍ବାଡ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ସମେତ ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।

କ୍ବାଡ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ପେନି ଓଙ୍ଗ ଓ ଜାପାନର ଟାକେଶି ଇୱାୟା ଯୋଗ ଦେଇଥିଲେ । ବୈଠକରେ ମିଳିତ ଭାବରେ ଏକତ୍ର ହୋଇ ଆଗକୁ ବଢିବା ଦିଗରେ ଗୁରୁତ୍ବ ଦିଆଯାଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ରହିଛି । ଅଂଶଗ୍ରହଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟଶଙ୍କର ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ କଠୋର ଇମିଗ୍ରେସନ ନୀତି ଘୋଷଣା,ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ପଠାଯିବ ସ୍ୱଦେଶ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଗତ ଜାନୁଆରୀ ୨୦ ତାରିଖରେ ଶପଥ ନେଇଥିଲେ ଡୋନାଲ୍ଟ ଟ୍ରମ୍ପ । ଶପଥ ଗ୍ରହଣ ସମାରୋହରେ ୭୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ । ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ସେକ୍ରେଟାରୀ ଅଫ୍ ଷ୍ଟେଟ ଭାବରେ ମାର୍କୋ ରୁବିଓଙ୍କୁ ନିଯୁକ୍ତି ଦେଇଥିଲେ । ରୁବିଓ କ୍ବାଡ ବୈଠକରେ ହୋଷ୍ଟ ରହିଥିଲେ ।

ଚୀନକୁ ଚେତାବନୀ- ଦକ୍ଷିଣ ଚୀନ ସାଗରରେ ଚୀନର ଏକଚାଟିଆ ବ୍ୟବହାର ଓ ସାମରିକ ବଳ ପ୍ରୟୋଗକୁ ବୈଠକରେ ନିନ୍ଦା କରାଯାଇଛି । ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ଚୀନ । ଏହାକୁ ନିନ୍ଦା କରାଯିବା ସହିତ ଚୀନକୁ ଚେତାବନୀ ଦିଆଯାଇଛି । କ୍ବାଡ ବୈଠକ ପରେ ମାର୍କ ରୁବିଓଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ଜୟଶଙ୍କର ।