ନୂଆଦିଲ୍ଲୀ,୧୫।୭: ଚୀନର ତିଆନଜିନରେ ମଙ୍ଗଳବାର ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗ ଦେଇଥିଲେ। ଏହି ସମୟରେ ସେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ଉଠାଇ କହିଥିଲେ, ସଦସ୍ୟ ଦେଶମାନେ ସଂଗଠନର ମୌଳିକ ଉଦ୍ଦେଶ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିବା ଉଚିତ ।ଆତଙ୍କବାଦ ବିରୁଦ୍ଧରେ କୌଣସି ପ୍ରକାରର ନରମ ମନୋଭାବ ଦେଖାଇବା ଉଚିତ୍ ନୁହେଁ।
ଜୁନ୍ ୨୦୨୦ ରେ ଗାଲୱାନ ଘାଟିରେ ସଂଘର୍ଷ ପରେ ଏହା ଜୟଶଙ୍କରଙ୍କ ପ୍ରଥମ ଚୀନ ଗସ୍ତ। ସେ କହିଛନ୍ତି ଯେ ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାଣିଶୁଣି କରାଯାଇଥିଲା। ଏହି ଆକ୍ରମଣରେ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।
ଜୟଶଙ୍କର କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦ (UNSC) ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି। ସୁରକ୍ଷା ପରିଷଦ ଏହା ମଧ୍ୟ କହିଛି ଯେ ଏହି ନିନ୍ଦନୀୟ ଆତଙ୍କବାଦୀ ଆକ୍ରମଣର ଅପରାଧୀ, ଷଡ଼ଯନ୍ତ୍ରକାରୀ, ପାଣ୍ଠି ପ୍ରଦାନକାରୀ ଏବଂ ସମର୍ଥକମାନଙ୍କୁ ଦଣ୍ଡ ଦିଆଯିବା ଉଚିତ। ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦର ମୁକାବିଲା କରିବା ଲକ୍ଷ୍ୟରେ ସାଂଘାଇ ସହଯୋଗ ସଂଗଠନ ପ୍ରତିଷ୍ଠିତ ହୋଇଥିଲା। ସେ କହିଛନ୍ତି ଯେ ଏହି ତିନୋଟି ସମସ୍ୟା ପ୍ରାୟତଃ ଏକାଠି ଦେଖାଯାଏ। ସେ ଜୋର ଦେଇ କହିଛନ୍ତି ଯେ SCO ଏହାର ପ୍ରତିଷ୍ଠାର ମୌଳିକ ଉଦ୍ଦେଶ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିବା ପାଇଁ ଆତଙ୍କବାଦ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ପଡିବ।