ମୁମ୍ବାଇ,୨୧/୦୮:ବିବାହ ବନ୍ଧନରେ ବାନ୍ଧି ହେଲେ ସାଥ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ। ସେ ଏକ ବ୍ୟକ୍ତିଗତ ଉତ୍ସବରେ ବରୁଣ ଜୈନଙ୍କୁ ବିବାହ କରିଥିଲେ। ଏନେଇ ଜିୟା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ,'ଭଗବାନ ଏବଂ ଗୁରୁଙ୍କ କୃପାରେ, ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ସ୍ନେହ,ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।'
ତେବେ ଫଟୋରେ ଜିୟା ଏକ ହଳଦିଆ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହିତ ଟେମ୍ପଲ ଅଳଙ୍କାର ପିନ୍ଧିଥିଲେ। ସେମାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଅନୁସାରେ,ଜିୟା ମାନେକ ଏବଂ ବରୁଣ ଜୈନଙ୍କର ଭୂତ ଶୁଦ୍ଧି ବିବାହ ହୋଇଥିଲା। ପ୍ରକାଶ ଥାଉକି, ଏହା ଯୌଗିକ ଯୁଗର ସବୁଠାରୁ ପ୍ରାଚୀନ ବିବାହ ନୀତି । ଭୂତ ଶୁଦ୍ଧି ବିବାହ ହେଉଛି ଶରୀରରେ ଉପସ୍ଥିତ ପାଞ୍ଚଟି ଉପାଦାନକୁ ସଠିକ୍ ଉପାୟରେ ସଂଗଠିତ କରିବାର ପ୍ରକ୍ରିୟା।ଜିୟା ମାନେକଙ୍କ ବିଷୟରେ କହିବାକୁ ଗଲେ ସେ ସାଥ ନିଭାନା ସାଥିଆ,ତେରା ମେରା ସାଥ ରହେ, ଜିନି ଅର ଜୁଜୁ ଏବଂ ମନମୋହିନୀ ଭଳି ସିରିଏଲରେ ଅଭିନୟ କରିଛନ୍ତି। ସେ ସାଥ ନିଭାନା ସାଥିଆରୁ ତାଙ୍କର ଅଭିନୟକ୍ୟାରିଅର ଆରମ୍ଭ କରିଥିଲେ ।