ମାଲକାନଗିରି,୨୭/୧୧ : ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଅଧା ଚିକିତ୍ସା ଯୋଗାଇ ହାଡ଼ଭଙ୍ଗା ରୋଗୀକୁ ଘରକୁ ବିଦା କରିଦେଇଛନ୍ତି ଜିଲ୍ଲା ହସ୍ପିଟାଲ ଡାକ୍ତର । ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ପର ଘର ବାରଣ୍ଡାରେ ପଡ଼ି ରହିଛି ଗରିବ ଆଦିବାସୀ ରୋଗୀ ମଦନ। ଜିଲ୍ଲାବାସୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମାଲକାନଗିରି ଜିଲ୍ଲା ସଦର ମହାକୁମାଠାରେ ୭ମହଲା ବିଶିଷ୍ଠ ଜିଲ୍ଲା ହସ୍ପିଟାଲ ସ୍ଥାପନ କରା ଯାଇଛି। ହେଲେ ଏଠାରେ ଆବଶକୀୟ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ହେଉଛି । ଏମିତି ଏକ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଜିଲ୍ଲା ହସ୍ପିଟାଲରୁ ଆସିଛି ।

ମାଲକାନଗିରି ଜିଲ୍ଲା ସିନ୍ଧିରିମାଳ ପଞ୍ଚାୟତସ୍ଥ ସତିଗୁଡା ପଞ୍ଚବଟି ଗ୍ରାମର ମଦନ ପେଣ୍ଟିଆ ଜଣେ ଗରିବ ଅସହାୟ ଆଦିବାସୀ ବ୍ୟକ୍ତି । ତାର କେହି ଆଗକୁ କି ପଛକୁ ନାହାନ୍ତି । ପର ଘରେ ମୂଲ ଲାଗି ନିଜ ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିଥାନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାରୁ ସାହି ଲୋକଙ୍କ ବାରଣ୍ଡାରେ ରାତିରେ ଶୋଇ ଯାଇଥାଏ ।          ଗତ କିଛିଦିନ ତଳେ ସେ କୁଲି କାମ କରିବାକୁ ଯାଉଥିବାବେଳେ ରାସ୍ତାରେ ଝୁଣ୍ଟି ପଡ଼ିଥିଲେ । ତାଙ୍କର ଡାହାଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିଲା । ତାର କେହି ନ ଥିବାରୁ ବହୁ କଷ୍ଟରେ ଜଣଙ୍କ ବାରଣ୍ଡାରେ ମଦନ ପଡ଼ି ରହିଥିଲା ।  ଯନ୍ତ୍ରଣା ଦେଖି ବସ୍ତିର କିଛି ଯୁବକ ଗତ ୫ତାରିଖରେ ୧୦୮ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ।

ଅସ୍ତିଶଲ୍ୟ ବିଶେଜ୍ଞ ଡାକ୍ତର ଥିବାରୁ ଡାକ୍ତରଖାନାରେ ମଧ୍ୟ ତାକୁ ଗୁରୁତ୍ୱ ଦିଆଯାଇ ନ ଥିଲା । ଡାକ୍ତର କହିଥିଲେ ଆଣ୍ଠୁର ଚକି ଖସି ଯାଇଛି ଅପରେସନ କରିବାକୁ ପଡିବ । ମଦନର ନିଜ ଲୋକ କିଏ ନ ଥିବାରୁ ତାକୁ କୋରାପୁଟ କିମ୍ବା ଅନ୍ୟ ଡାକ୍ତରଖାନାକୁ ରେଫର ନ କରି କେବଳ ଆଣ୍ଠୁରେ ଗଜ କପଡ଼ା ବ୍ୟାଣ୍ଡେଜ କରି ଅଧା ଚିକିତ୍ସା ଯୋଗାଇ  ମଦନକୁ ଡ଼ିସଚାର୍ଜ କରି ଘରକୁ ବିଦା କରିଦେଲେ ଜିଲ୍ଲା ହସ୍ପିଟାଲ ଡାକ୍ତର । ବିଚରା ମଦନ ଅର୍ଥ ଅଭାବରୁ ଉଚ୍ଚତର ଚିକିତ୍ସା ହୋଇ ନ ପାରି ପର ଘର ବାରଣ୍ଡାରେ ପଡ଼ି ରହି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି । ମଦନର ଯନ୍ତ୍ରଣା ଓ ଦୁଃଖ ଦେଖି ସତିଗୁଡାର ଜଗନ୍ନାଥ ଭୂମିୟା ନାମକ ଯୁବକ ଏବେ ତା ନିଜ ଘରେ ନେଇ ରଖି ତାର ଖାଇବା ବ୍ୟବସ୍ଥା କରିଛି । ତାର ମଧ୍ୟ ଆର୍ଥିକ ସ୍ୱଚଳ ନାହିଁ, ଖଟିଲେ ଖାଇବ । ଟଙ୍କା କେଉଁଠୁ ପାଇବ ଯେ ମଦନକୁ ନେଇ ଅପରେସନ କରିବ, ତେଣୁ ଏବେ ମଦନ କର୍ମକୁ ଆଦରି ଗାଉଁଲି ଚେର ମୂଳି ଔଷଧ ଲଗାଇ ବାରଣ୍ଡାରେ ପଡି ରହିଛି । ମଦନ ପେଣ୍ଟିଆଙ୍କୁ ଚିକିତ୍ସା  ନ କରି କାହିଁକି ଘରକୁ ବିଦା କରିଦିଆଗଲା ବୋଲି ଆମେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ହସ୍ପିଟାଲ ସୁପରି ଣ୍ଟେଣ୍ଡାଣ୍ଟ ଡାକ୍ତର ବ୍ରଜବନ୍ଧୁ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଜିଲ୍ଲା ହସ୍ପିଟାଲରେ ଅର୍ଥପେଡ଼ିକ ଡାକ୍ତର ନ ଥିବାରୁ ଏଠାରେ ଅପରେସନ କରିବା ସମ୍ଭବ ନ ଥିବାରୁ ତାଙ୍କୁ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିଲା । ସେ ରୋଗୀକୁ କିଏ କାହିଁକି ଡ଼ିସଚାର୍ଜ କରିଦେଲା ସେ ସମ୍ପର୍କରେ ତଦନ୍ତ କରାଯିବ ଓ ସେ ରୋଗୀକୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବୋଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ଦାଶ କହିଛନ୍ତି।

ସୂଚନା ଅନୁସାରେ, ସତିଗୁଡ଼ା ଡ୍ୟାମ ତଳେ ତା’ର ଛୋଟ କୁଡିଆ ଘରଟିଏ ଥିଲା । ସତିଗୁଡା ଡ୍ୟାମରେ ଓ ପର ଘରେ କୁଲି ବୃତ୍ତି କରି ତାର ସ୍ତ୍ରୀ ବୁଦ୍ରୀ ଓ ସେ ବେଶ ଖୁସିରେ ରହୁଥିଲେ । ଗତ ୧୫ବର୍ଷ ତଳେ ସ୍ତ୍ରୀ ବୁଦ୍ରୀ ବେମାରରେ ପଡ଼ି ମରିଗଲା । କୋଳକୁ କିଛି ଛୁଆ ପିଲା ନ ଥିବାରୁ ସ୍ତ୍ରୀର ମୃତ୍ୟୁରେ ଭାଙ୍ଗି ପଡ଼ିଲା ମଦନ । ହାଇଦ୍ରାବାଦକୁ ପଳାଇଲା ଦାଦନ ଖଟିବାକୁ । ଗତ ୨୦୨୦ମସିହାରେ କରୋନା ଆସିଲା ପରେ ତାକୁ ଓ ଅନ୍ୟ ସାଥିମାନଙ୍କୁ କାମ ଛାଡିବାକୁ ପଡିଲା । କରୋନା ପାଇଁ ବସ୍ ଚଲାଚଳ ହେଉ ନ ଥିବାରୁ ସେ କୋଭିଡ ସମୟରେ ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ମାଲକାନଗିରିରେ ପହଁଚିଥିଲା । ଘରକୁ ଯାଇ ଦେଖିଲା କୁଡ଼ିଆଟି ମାଟିରେ ମିଶିଯାଇଛି । ଆଧାରକାର୍ଡ଼ ଟିଏ ନ ଥିବାରୁ ଚାଉଳ ମଧ୍ୟ ମୁଳୁନାହିଁ । କେତେ ଜଣାଇଲେ ମଧ୍ୟ ତାର ଗୁହାରି କେହି ଶୁଣି ନ ଥିଲେ । ପର ଘରେ କୁଲି ବୃତ୍ତି କରି ପେଟ ଚାଖଣ୍ଡକୁ ପୁରାଇ ଦେଇଥାଏ । ରାତିରେ ବସ୍ତିର ଲୋକମାନଙ୍କ ଘର ବାରଣ୍ଡାରେ ବିଶ୍ରାମ ନେଇଥାଏ । ଅସହାୟ ମଦନକୁ ଉତ୍ତମ ଚିକିତ୍ସା ସେବା ଓ ସରକାରୀ ସହାୟତା ଯୋଗାଇଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ବସ୍ତିବାସିନ୍ଦା ଦାବି କରିଛନ୍ତି ।