ପୁରୀ ୪/୧୧ :  ଏକ ମାସର ନିରବଚ୍ଛିନ୍ନ ହବିଷ ବ୍ରତ ବା ରାଈଦାମୋଦର ବ୍ରତ ପରେ ନିଜ ନିଜ ଘରକୁ ଫେରିବାକୁ ତତ୍ପର ହେଲେଣି ହବିଷ୍ୟାଳୀ ମା’ ମାନେ । କୁମାର ପୂର୍ଣ୍ଣିମା ପୂର୍ବରୁ ନିଜ ଘର ଛାଡ଼ି ପହଞ୍ଚିଥିଲେ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ । କାର୍ତ୍ତିକର ପ୍ରଥମ ଦିନରୁ ସଂକଳ୍ପ କରି ବୃନ୍ଦାବତୀ ପୂଜନ କରି, ମହାପ୍ରଭୁଙ୍କ ଦର୍ଶନ କରି ରହିଥିଲେ ନିଷ୍ଠାର ସହ। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆର୍ଥିକ ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରତିଟି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ବ୍ୟବସ୍ଥା କରଛନ୍ତି । ନିଜେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡ଼ା ହବିଷ୍ୟାଳୀ କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏକାଧିକ ଥର ଓ ମା’ମାନେ କେନ୍ଦ୍ରରେ ରହିବା ପରେ ବହୁବାର ପରିଦର୍ଶନ କରିବା ସହ ମା’ମାନଙ୍କ ଭଲ ମନ୍ଦ, ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ରେଲୱେ କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳୀ କେନ୍ଦ୍ର କରାଯାଇଛି।

ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ କେନ୍ଦ୍ରର ପରିଚାଳନା ଦାୟିତ୍ବ ଦେବା ସହ ଯେପରି କୌଣସି କ୍ଷେତ୍ରରେ ମା‘ମାନଙ୍କର ସମସ୍ୟା ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ସମସ୍ତ ଅଧିକାରୀ, କର୍ମଚାରୀ, ସ୍ବେଛାସେବୀମାନେ ଅତ୍ୟନ୍ତ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସରକାରଙ୍କ ପକ୍ଷରୁ ନିଜେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଏବଂ କ୍ରୀଡ଼ା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ପହଞ୍ଚି ମା’ମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି।

ମା’ମାନଙ୍କୁ ଏକ ମାସର ସୁରକ୍ଷିତ ରହଣୀ, ଶୃଙ୍ଖଳିତ ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ, ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ପ୍ରଶାସନ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ଅତିଥିମାନେ ପ୍ରତୀକାତ୍ମକ ଭାବେ ମା’ମାନଙ୍କୁ ବିଭିନ୍ନ ସାମଗ୍ରୀ ଥିବା କିଟ୍ସ ବ୍ୟାଗ ପ୍ରଦାନ କରିଥିବାବେଳେ ଆଜି ସମସ୍ତ ମା’ମାନଙ୍କୁ ଏହି କିଟ୍ସ ବ୍ୟାଗ ସହ ଶୁଖିଲା ଭୋଗ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ମହାପାତ୍ର, ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ କିଟ୍ସ ଗୁଡ଼ିକ ବଣ୍ଟନ କରିଥିଲେ।

ଏବେ ପ୍ରତ୍ୟେକ ଟି ମା’ ମୁହଁରେ ନିଜ ଘରକୁ ଫେରିବାର ଆନନ୍ଦ ସତ, ହେଲେ ମାସକର ସ୍ନେହ ମମତାରେ ବନ୍ଧା ସମ୍ପର୍କ ଆଖିରେ ଲୁହ ଭରି ଦେଉଛି । ଅଧିକାରୀ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ସ୍ବେଚ୍ଛାସେବୀ ଝିଅ, ଭଉଣୀ ହୁଅନ୍ତୁ ବା ପୁଅମାନେ ତାଙ୍କ ପାଖରେ ବିଭିନ୍ନ ସାମଗ୍ରୀ ଦେବାବେଳେ ସେମାନଙ୍କୁ ଆଦରରେ ଆଉଁସି, କୁଣ୍ଢେଇ ମା’ମାନେ କାନ୍ଦି ପକେଇବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ।ଓଦା କଣ୍ଠରୁ କିନ୍ତୁ ଝରି ଆସୁଛି ଆଶୀର୍ବାଦର ହୁଳହୁଳି।