ପୁରୀ,୩୦/୦୩: ମଲ୍ଲୀ ଫୁଲର ମହକ ବିନା ସାହିଯାତ ଜମେନି । ଆମ ପୁରୀବାଲାଙ୍କ ପସନ୍ଦ ମଲ୍ଲୀ ମାଳ । ଗଜରା ମାଳ ବି ଚାଲେ । ହେଲେ ମଲ୍ଲୀ ମାଳ ଖଣ୍ଡେ ନହେଲେ ସାହିଯାତର ମଜା ରୁହେନି । ପିଲା ଠାରୁ ବୟସ୍କ, ଜାଗା ଆଖଡ଼ା କର୍ମକର୍ତ୍ତାଙ୍କ ଠାରୁ ସାଧାରଣ ବାସିନ୍ଦା ତଥା ଦର୍ଶକ ବେକରେ ମଲ୍ଲୀ ଫୁଲର ମାଳ ଖଣ୍ଡେ ଝୁଲିଥିଲେ ସାହିଯାତରେ ବୁଲିବାର ଆନନ୍ଦ ବଢ଼ିଯାଏ । ହେଲେ ଚଳିତ ବର୍ଷ କୋଲକତା ମଲ୍ଲୀରେ ହିଁ ମନ ବୁଝାଇବାକୁ ପଡ଼ିଲା । ଏଥର ଦେଶୀ ମଲ୍ଲୀ ସେଭଳି ନାହିଁ । କିମ୍ବା ତା’ର ଅସଲି ସୁବାସ ଖେଳୁନି ।
ଚଳିତ ବର୍ଷ ସାହିଯାତରେ ଦେଶୀ ମଲ୍ଲୀ ବଦଳରେ କୋଲକତା ମଲ୍ଲୀ ଫୁଲର ରାଜ୍ ଚାଲିଛି । ପୁଷ୍ପଭଣ୍ଡାର ହେଉ କି ପୁରୁଣା ଫୁଲ ଦୋକାନ ସବୁଠି ଦେଶୀ ମଲ୍ଲୀର ଅଭାବ ଦେଖିବାକୁ ଅନୁଭୂତ ହେଲା । ପାରମ୍ପରିକ ଦୟଣାମାଳି ସେବକଙ୍କ ପାଇଁ ମଧ୍ୟ ଦେଶୀ ମଲ୍ଲୀ ଫୁଲ ଅଭାବ । ଏଣୁ ସାହିଯାତ ପ୍ରେମୀଙ୍କ ଏଥର ଟିକିଏ ମନ ଉଣା । ବାଧ୍ୟରେ ଫୁଲ ଷ୍ଟଲ୍ରେ ମିଳୁଥିବା କୋଲକତା ମଲ୍ଲୀର ମାଳ ନେଇ ମନ ମେଣ୍ଟାଉଛନ୍ତି । ସେହି ଅନୁସାରେ ପୂର୍ବ ବର୍ଷ ତୁଳନାରେ ମଲ୍ଲୀର ଦର ମଧ୍ୟ ଟିକିଏ ଚଢ଼ା ରହିଛି । ଦୟଣାମାଳି ସେବକ ପରିବାରର ବରିଷ୍ଠ ସଦସ୍ୟା ଉର୍ମିଳା ରଣା କୁହନ୍ତି, ଏ ବର୍ଷ ଦେଶୀ ମଲ୍ଲୀ ନାହିଁ । ମାଳି ଆମକୁ ୨ କିଲୋ ମଲ୍ଲୀ ଫୁଲ ଦେବା କଥା । ଏଥର ମନା କରିଦେଲେ । ମଲ୍ଲୀ ଫୁଲ ଫୁଟିଲାନି । ପ୍ରବଳ ଗରମରେ ମଲ୍ଲୀ ଫୁଲ ଅଧିକ ଫୁଟେ । ଏଥର ଥଣ୍ଡା ଅଧିକ ଦିନ ରହିଯିବାରେ ଗଛରେ ଅଧିକ ମଲ୍ଲୀ ଫୁଟିଲାନି ବୋଲି ଉର୍ମିଳା କହିଥିଲେ ।
ଅଧିକ ପଢ଼ନ୍ତୁ :- ଶ୍ରୀକ୍ଷେତ୍ର ସାହିଯାତ: ହରଚଣ୍ଡୀ ସାହିରୁ ବାହାରିଲେ ନାକ, କାନ, ଖେଳାଇଲେ ଆତଙ୍କ
ପୁଷ୍ପଭଣ୍ଡାର ମାଲିକ ରାମକୃଷ୍ଣ ରଣା କୁହନ୍ତି, କୋଲକତାରୁ ଆସୁଛି ମଲ୍ଲୀ ଫୁଲ । ସେଥିରେ ଲୋକଙ୍କ ଚାହିଦା ଅନୁସାରେ ମାଳ କରି ଦେଉଛୁ । ଏଥର ସାହିଯାତ ପୂର୍ବରୁ ଝଡ଼ି ଆସିଗଲା । ପବନ ମାଡ଼ରେ ଗଛ ଶୋଇଗଲା । କଢ଼ି ସବୁ ଝଡ଼ିଗଲା । ଏଣୁ ପୁରୀ ତଥା ସହର ଆଖପାଖ ବଗିଚାରେ ଆଉ ଫୁଲ କୁଆଡ଼ୁ ଆସିବ । ସେହିପରି ଅଧିକ ଥଣ୍ଡା ଓ କମ୍ ଗରମରୁ ମଲ୍ଲୀ ଫୁଲ ଫୁଟିବା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଛି । ହେଲେ ସାହିଯାତକୁ ଦୃଷ୍ଟିରେ ରଖି କୋଲକାତାରୁ ମଲ୍ଲୀ ଫୁଲ ମଗାଇ ଆମେ ପରମ୍ପରା ବଜାୟ ରଖିଛୁ । କେହି କେହି ଆଗରୁ ବରାଦ କରୁଛନ୍ତି । କିଏ ଯାତ ଦିନ ଆସି ଦୋକାନରୁ ମଲ୍ଲୀ ମାଳ ସଂଗ୍ରହ କରି ନେଉଛନ୍ତି ।