ନୂଆଦିଲ୍ଲୀ ୧୫/୦୭: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ପୂର୍ବତନ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ୱାଲଙ୍କ ବିବାହ ବିଚ୍ଛେଦ ହୋଇଛି । ସେ ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ୨୦୧୮ରେ ସାଇନା ଓ ପି. କଶ୍ୟପଙ୍କର ବିବାହ ହୋଇଥିଲା । ଦୁହେଁ ହାଇଦ୍ରାବାଦରେ ପି.ଗୋପୀଚାନ୍ଦ ଏକାଡେମୀରେ ଅଭ୍ୟାସ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଆସୁଥିଲେ । କିନ୍ତୁ ହଠାତ ଦୁହିଁଙ୍କ ମଧ୍ୟରେ କ’ଣ ହେଲା ଯେ ସେମାନେ ଅଗଲା ହେବାକୁ ନିଷ୍ପତ୍ତି ନେଲେ । ଏ କଥା ସମସ୍ତଙ୍କୁ ଚକିତ କରିଛି ।
ସାଇନା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ବେଳେବେଳେ ଜୀବନ ଆମକୁ ଭିନ୍ନ ଦିଗରେ ନେଇଯାଏ । ବହୁ ଥର ଭାବିବା ଓ ଚିନ୍ତା କରିବା ପରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ ।’ କଶ୍ୟପ କିନ୍ତୁ ଏ ବିଷୟରେ କିଛି କହି ନାହାନ୍ତି । ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ବ୍ୟାଡମିଣ୍ଟନରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପଦକ ଜିତିବାର ଗୌରବ ଲାଭ କରିଥିଲେ । ସେମିତି କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପାଇଥିଲେ । ସେ ବିଶ୍ୱ ମାନ୍ୟତା ତାଲିକାରେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ ।