ଭୁବନେଶ୍ୱର,୦୨/୦୨: ୨୦୧୭ ରେରା ଆଇନ ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟର କିଣାବିକା କରିହେବ । ପୂର୍ବରୁ ଏହା ଉପରେ ଥିବା କଟକଣାକୁ  ହଟାଇ ନେଇଛି ନଗର ଉନ୍ନୟନ ବିଭାଗ । 

ଏହି କଟକଣା ହଟାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  ସୂଚନା ଦେଇଛନ୍ତି । ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବା ସହ କିଣାବିକାକୁ ଅନୁମତି  ଦେବାକୁ ରାଜସ୍ୱ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି ।  ପାର୍ଟ ପ୍ଲଟ୍‌ ବିକ୍ରିକୁ ଅନୁମତି ଦେବାକୁ ତର୍ଜମା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । 

ଗତ ୨୦୨୩ ଜୁନ୍‌ ମାସ ୨୮ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା  ଅଧିନିୟମ (୨୦୨୩ ଓଡ଼ିଶା ଅଧିନିୟମ ୭) କାର୍ଯ୍ୟକାରୀ ହୋଇଥିଲା । ବର୍ତ୍ତମାନର  ଅଧିନିୟମ ସତ୍ତେ୍ୱ ଯେଉଁ ସବୁ ଆପାର୍ଟମେଣ୍ଟ ୨୦୧୭ ଫେବ୍ରୁଆରୀ ୨୫ ପୂର୍ବରୁ ସମ୍ପୂର୍ଣ୍ଣ  ହୋଇଛି ସେସବୁ ଆପାର୍ଟମେଣ୍ଟ ପଞ୍ଜୀକରଣ କରାଯାଇପାରିବ । ଏ ସମ୍ବନ୍ଧୀୟ ଅନେକ  ଅପିଲ୍‌ ପଡ଼ି ରହିଛି । ପୁଣି ବିଡିଏ ଓ ବିଏମ୍‌ସିରେ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି  ୧୯୮୨ କାର୍ଯ୍ୟକାରିତା ନେଇ ବିଭିନ୍ନ ସମୟରେ ଜାରି ଆଦେଶନାମା ବିରୋଧରେ  ଅନେକ ଅପିଲ୍‌ ପଡ଼ିରହିଛି। ଅପିଲ୍‌ର ତୁରନ୍ତ ଫଇସଲା ପାଇଁ ୭ ଜଣ ବରିଷ୍ଠ  ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ପଡ଼ି ରହିଥିବା  ଏହି ସମସ୍ତ ମାମଲାର ଶୀଘ୍ର ଫଇସଲା ଜରୁରି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି । 

ସହରକୁ ବିକାଶର କେନ୍ଦ୍ର ଭାବରେ ପରିଣତ କରିବା, ସୃଜନଶୀଳତାର  ପୁନଃବିକାଶ, ଜଳ ଓ ପରିମଳ କ୍ଷେତ୍ର ପାଇଁ ଏହି ପାଣ୍ଠି ବିନିଯୋଗ କରିବାକୁ ଲକ୍ଷ୍ୟ  ରହିଛି । ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି ବ୍ୟାଙ୍କ ଯୋଗ୍ୟ ପ୍ରକଳ୍ପ ମୂଲ୍ୟର ୨୫% ପର୍ଯ୍ୟନ୍ତ  ଆର୍ଥିକ ସହାୟତା ଦେବ । ସର୍ତ୍ତ ଅନୁସାରେ ଖର୍ଚ୍ଚର ଅତି କମ୍‌ରେ ୫୦ ପ୍ରତିଶତ  ବଣ୍ଡ୍‌କୁ ବ୍ୟାଙ୍କ ଋଣ ଓ ପିପିପିରୁ ପାଣ୍ଠି ଯୋଗାଇ ଦିଆଯିବ । ୨୦୨୫-୨୬ରେ ୧୦ହଜାର କୋଟି ଟଙ୍କାର ଆବଣ୍ଟନ ପାଇଁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ସୂଚନା  ଦେଇଛନ୍ତି । ପୁଣି ସହରାଞ୍ଚଳ ଜୀବିକାକୁ ସୁଦୃଢ଼ କରିବାକୁ ଶ୍ରମିକଙ୍କ ସାମାଜିକ- ଆର୍ଥିକ ଉନ୍ନତି ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ । ଏହା ସେମାନଙ୍କ  ଆୟ ବଢ଼ାଇବ । ଏହି ଯୋଜନାକୁ ବ୍ୟାଙ୍କରୁ ବର୍ଦ୍ଧିତ ଋଣ ପ୍ରଦାନ କରାଯିବ ।