ନୂଆଦିଲ୍ଲୀ,୦୮/୧୧:  ବିପଦରେ ସଲମାନ ଖାନଙ୍କ ଜୀବନ । ବାବା ସିଦ୍ଦିକିଙ୍କ ହତ୍ୟା ପରେ ଅଭିନେତାଙ୍କୁ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ଅନେକ ଥର ହତ୍ୟା ଧମକ ମିଳୁଛି । ଯାହା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲେ ହେଁ ବର୍ତ୍ତମାନ ଆଜି ପୁଣି ଥରେ ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗରୁ ସଲମାନଙ୍କୁ ହତ୍ୟା ଧମକ ମିଳିଛି । ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ସଲମାନଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା । ଯେଉଁଥିରେ   ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ।  ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି।

ଧମକପୂର୍ଣ୍ଣ ମେସେଜରେ ଲେଖାହୋଇଛି, ''ଏକ ମାସ ମଧ୍ୟରେ ଗୀତ ଲେଖକଙ୍କୁ ହତ୍ୟା କରାଯିବ, ଗୀତ ଲେଖକଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାମରେ ଗୀତ ଲେଖିପାରିବେ ନାହିଁ। ଯଦି ସଲମାନ ଖାନଙ୍କର ସାହସ ଅଛି ତେବେ ସେ ତାଙ୍କୁ ବଞ୍ଚାଇ ଦେଖାନ୍ତୁ ।'' ଏହି ଧମକପୂର୍ଣ୍ଣ ମେସେଜ ନେଇ ମୁମ୍ବାଇ ପୋଲିସ ବର୍ତ୍ତମାନ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ସଲମାନ ଖାନଙ୍କ ଦ୍ୱାରା ମିଳିଥିବା ନୂତନ ଧମକକୁ ନେଇ ମୁମ୍ବାଇର ୱର୍ଲି ପୋଲିସରେ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏପରି ଧମକପୂର୍ଣ୍ଣ ମେସେଜକୁ ନେଇ ପୂରା ବି-ଟାଉନ୍‌ରେ ଚହଳ ସୃଷ୍ଟି ହୋଇଥିବା ବେଳେ ବଲିଉଡର ଦବଙ୍ଗ ଖାନ ହାଇଦ୍ରାବାଦରେ ନିଜ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ଏହାର ଦୋଷ ନିଜ ମୁଣ୍ଡକୁ ନେଇଛି। ଏହାପରଠୁ ସଲମାନଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ ଓ ଫୋନ୍‌ କଲ୍‌ ଆସିବାରେ ଲାଗିଛି। ତେଣୁ ତାଙ୍କ ସୁରୁକ୍ଷା ବ୍ୟବସ୍ଥାକୁ ବଢ଼ାଯିବା ସହ ତାଙ୍କ ଆପାର୍ଟମେଣ୍ଟ ବାହାରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।