ନୂଆଦିଲ୍ଲୀ ୨୩/୦୨: ବିବାହ ପରେ ବଡ଼ ପରଦାକୁ ଫେରିଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ । କିଛି ଦିନର ବ୍ୟବଧାନ ପରେ ସେ ‘ମା ଇଣ୍ଟି ବଙ୍ଗାରାମ’ ଜରିଆରେ କମ୍‌ବ୍ୟାକ୍ କରିଛନ୍ତି । ଗତମାସରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏକ ନୂଆ ପୋଷ୍ଟର ସହ ଏବେ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ମେ’ ୧୫ରେ ଏହି ଫିଲ୍ମ ରିଲିଜ ହେବ । ସାମନ୍ଥା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି । ଏଥିସହ ମୁକ୍ତିଲାଭ ତାରିଖ ବି ଉଲ୍ଲେଖ କରିଛନ୍ତି ।କ୍ୟାପ୍‌ସନରେ ସାମନ୍ଥା ଲେଖିଛନ୍ତି, ‘ଏହି ଗରମରେ ଥିଏଟରରେ ଭେଟ ହେବ’ ।

ତେବେ ଫିଲ୍ମଟି ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ରିଲିଜ ହେବ । ସାମନ୍ଥାଙ୍କ ଅଭିନୀତ ‘ମା ଇଣ୍ଟି ବଙ୍ଗାରାମ’କୁ ତାଙ୍କ ସ୍ୱାମୀ ରାଜ ନିଦିମୋରୁ ନିର୍ମାଣ କରିଛନ୍ତି । ତେବେ ନନ୍ଦିନୀ ରେଡ୍ଡୀ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ‘ଓହଃ ବେବି’ ଫିଲ୍ମ ପରେ ନନ୍ଦିନୀ-ସାମନ୍ଥା ଯୋଡ଼ି ପୁଣି ଫେରିଛନ୍ତି । ସାମନ୍ଥାଙ୍କ ସହ ଫିଲ୍ମରେ ଗୁଲଶନ ଦେବେୟା ଏବଂ ଦିଗନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି । ଅଭିନେତ୍ରୀ ଗୌତମୀ ଏବଂ ମଞ୍ଜୁଷା ପ୍ରମୁଖ ଭୂମିକାରେ ନଜର ଆସିବେ ।

 

ଆହୁରି ପଢ଼ନ୍ତୁ...‘ ଦ କେରଲା ଷ୍ଟୋରୀ -୨ ’ କୁ ନେଇ ବିବାଦ ମଧ୍ୟରେ ପ୍ରକାଶ ରାଜ୍‌ଙ୍କ ଏକ୍ସ ପୋଷ୍ଟ ଭାଇରାଲ , ଅନୁରାଗ କଶ୍ୟପ ମଧ୍ୟ ଫିଲ୍ମକୁ ନେଇ ...

ଫିଲ୍ମର ଟିଜରରେ ଦେଖିବାକୁ ମିଳିଥିଲା ଯେ, ଜଣେ ମହିଳା (ସାମନ୍ଥା) ତାଙ୍କ ସ୍ୱାମୀଙ୍କ ସହ ଶାଶୁ ଘରେ ପହଞ୍ଚୁଛନ୍ତି । ସେ ଆତ୍ମବିଶ୍ୱାସ ସହ କହୁଛନ୍ତି ସେ ସପ୍ତାହେ ଭିତରେ ସମସ୍ତଙ୍କ ହୃଦୟ ଜିତିଯିବେ । ସମସ୍ତଙ୍କ ଆଗରେ ଶାନ୍ତ ଏବଂ ନିରୀହ ଚେହେରା ଦେଖାଉଛନ୍ତି । କିନ୍ତୁ ଏହା ଭିତରେ ସେ ଏକ ତଦନ୍ତରେ ଲାଗିପଡ଼ିଛନ୍ତି । ଟିଜରରେ ସାମନ୍ଥାଙ୍କୁ ଏକ ପାୱାରଫୁଲ ଆକ୍ସନ ରୋଲରେ ଦେଖିବାକୁ ମିଳିଛି । ସେ ଗୁଣ୍ଡାମାନଙ୍କ ସହ ଏକା ଲଢ଼ୁଛନ୍ତି । ଭୀଷଣ ଗୁଳିଗୋଳା ପରେ ମୃତଦେହଗୁଡ଼ିକୁ ଠିକଣାରେ ଲଗାଇ ରକ୍ତ ଚିହ୍ନକୁ ଲୁଚାଉଛନ୍ତି ।