ସମ୍ବଲପୁର,୦୪/୦୨: ସମର୍ଥ ନିର୍ଯାତନା ମାମଲା ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣିଛି ପୋଲିସ। ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ଚାଲିଛି ଜେରା। ଅନ୍ତେବାସୀଙ୍କୁ ଅମାନବୀୟ ଅତ୍ୟାଚାର ପଛରେ କଣ ରହିଛି ରହସ୍ୟ। ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା ବେଳେ ସତ ସାମ୍ନାକୁ ଆଣିବାକୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ପୋଲିସ। ମେଡିକାଲ୍‌ ପରୀକ୍ଷା ସହ ଏଥିରେ  ତାଙ୍କର ସମ୍ପୃକ୍ତି କେତେ ରହିଛି, ତା’ ଉପରେ ତଦନ୍ତ କରାଯାଉଛି। ଏବେ  କେବଳ ହରିଶ୍ଚନ୍ଦ୍ର ଦାସକୁ ରିମାଣ୍ଡ ଅଣାଯାଇଛି । ତଦନ୍ତରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିଲେ ସେମାନଙ୍କୁ ମଧ୍ୟ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ସମ୍ବଲପୁର ଏଏସପି ଅଜୟ ମିଶ୍ର  ସୂଚନା ଦେଇଛନ୍ତି ।  

ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେଲେ  ଏହାର ଷଡ଼ଯନ୍ତ୍ରକାରୀ କିମ୍ବା ଏହାକୁ ପ୍ରୋତ୍ସାହିତ କରୁଥିବା ଅଧିକାରୀ  ଓ କର୍ମଚାରୀଙ୍କ ଖସିଯିବାକୁ ବସିଛନ୍ତି । କାରଣ ପୂର୍ବରୁ ଜିଲ୍ଲା ସାମାଜିକ  ସୁରକ୍ଷା ଅଧିକାରୀ ଏହାର କଳାକାରନାମାକୁ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗକୁ ଚିଠି ଲେଖି ଜାଣିଥିଲେ । ହେଲେ କେଉଁ କାରଣରୁ ଏହା  ଅଧାରେ ଅଟକି ଯାଇଥିଲା? କାହିଁକି ସମ୍ପୃକ୍ତ ସଂସ୍ଥାଠାରୁ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା ନାହିଁ? 

ସୂଚନା ଅନୁସାରେ, ୨୦୨୪  ଅଗଷ୍ଟ ୧୪ ତାରିଖରେ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ସମର୍ଥର ପରିଚାଳନାକୁ ନେଇ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ସ୍ୱତନ୍ତ୍ର  ସଚିବଙ୍କୁ ରିପୋର୍ଟ ଦେଇଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା, ସମର୍ଥ  ଅନ୍ତେବାସୀ ରହିବା ଯୋଗ୍ୟ ନୁହେଁ । ମାତ୍ର ୨ଟି କୋଠରୀରେ ୩୦ ଜଣ  ରହୁଛନ୍ତି । ଯେଉଁଥିରେ ଗୋଟିଏ କୋଠରୀରେ ୧୬ ପୁରୁଷ ଓ ୧୪  ମହିଳା ଗୋଈଗୋରୁଙ୍କ ଭଳି ରହୁଥିଲେ । ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ସେଠାରେ ଅନ୍ତେବାସୀଙ୍କୁ ରଖାଯାଉ ନଥିଲା । ତେଣୁ ଏହାକୁ ସ୍ଥାନାନ୍ତର କରାଯାଉ । ଏଭଳି ରିପୋର୍ଟ ପ୍ରଦାନ କରାଯିବା ସତ୍ତେ୍ୱ ଏହାକୁ ବନ୍ଦ ନ କରି ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସମର୍ଥକୁ ବ୍ଲାକଲିଷ୍ଟ୍‌ ନ କରି ସରକାରୀ ତହବିଲ୍‌ରୁ କିଏ ଖୋଲା କରିଦେଇଥିଲା? ଏହି ଦିଗରେ  ମଧ୍ୟ ତଦନ୍ତ କରିବାକୁ ଦାବି ହୋଇଛି । 

ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ  

ଅନ୍ୟପଟେ, ଗତ ମାସ ମଧ୍ୟରେ ପ୍ରାଣ ହରାଇଥିବା ୬ ଜଣଙ୍କ  ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ବି ଅସ୍ପଷ୍ଟ । ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇନଥିବାରୁ ଏହା ମଧ୍ୟ ସନ୍ଦେହ ଘେରରେ ରହିଗଲା ।  ଅନ୍ତେବାସୀଙ୍କୁ କିଭଳି ମାଡ଼ ଓ ନିର୍ଯାତନା ହେଉଛି, ତାହା ଭିଡିଓରେ  ଜଣାପଡୁଛି। ତେଣୁ ଏହି ମାଡ଼ରେ ସେହି ଅନ୍ତେବାସୀଙ୍କ ମୃତ୍ୟୁ  ହୋଇଥିଲା କି? ନା, ଅନାହାରରେ ସେମାନଙ୍କ ଜୀବନ ଯାଇଥିଲା?  ଏଭଳି ପ୍ରଶ୍ନକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ନିରବ ରହିଛି ।  ଗତ ଦେଢ଼ ବର୍ଷରେ ଏହି ଅନୁଷ୍ଠାନକୁ କେତେ ଜଣ ମାନସିକ ରୋଗୀ  ଆସିଥିଲେ? କେତେ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି? ସେମାନେ  ପ୍ରକୃତରେ ଘରକୁ ଫେରିଛନ୍ତି କି ନାହିଁ, ତାହାର ମଧ୍ୟ ତଦନ୍ତ କରିବାର ଆବଶ୍ୟକତା ରହିଛି ।   

‘ସମର୍ଥ’ ନିର୍ଯାତନ ଘଟଣାରେ ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କ ୪  ଜଣ ଗିରଫ ହୋଇଛନ୍ତି । ଏଥିରେ ହରିଶର ପୁଅ ଶୁଭ୍ରଜିତ ଦାସ, କେୟାରଟେକର ଶୁଭମ ବେହେରା ଓ ସ୍ୱାଗତିକା ପ୍ରଧାନକୁ ଗିରଫ  କରାଯାଇଛି । ଗିରଫ ହେବା ପରେ ହରିଶଙ୍କ ନାଁରେ ବଳାତ୍କାର ମାମଲା  ରୁଜୁ ହୋଇଥିଲା । ତେଣୁ ତାଙ୍କର ଡାକ୍ତରୀମାଇନା ହୋଇନି ।