ବୁର୍ଲା,୦୬/୦୮: ସମ୍ବଲପୁର ଜ୍ୟୋତିବିହାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ବଡ଼ ଉପଲବ୍ଧି। ପ୍ରସ୍ତୁତ ହେଲା ଡିଏନ୍‌ଏ କିଟ୍‌ । ଏଣିକି ଛେପରୁ ଜଣାପଡ଼ିବ ସମ୍ଭାବ୍ୟ ରୋଗ। ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍‌ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି । ଏଥିରୁ ଲୋକେ ଆଗକୁ ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି । 

ଉଦ୍ଭାବନ ହୋଇଥିବା କିଟ୍‌ରୁ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ କେଉଁ ମାରାତ୍ମକ ରୋଗ ହେବ କି ନାହିଁ ତାହା ଆଗୁଆ ଜଣାପଡ଼ିବ । କିଟ୍‌ରେ ଜଣେ ବ୍ୟକ୍ତିଙ୍କ ଛେପ ସଂଗ୍ରହ କରାଯିବ । ଏହାକୁ ପରୀକ୍ଷା ପାଇଁ ମୁମ୍ବାଇସ୍ଥିତ ୱିଣ୍ଡ୍‌ ଡିଏନ୍‌ଏ ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଲ୍ୟାବ୍‌କୁ ପଠାଯିବ । ସେଠାରେ ପରୀକ୍ଷା ପରେ ଜଣାପଡ଼ିବ ସମ୍ପୃକ୍ତ ବ୍ୟକ୍ତିଙ୍କ କେଉଁ କେଉଁ ମାରାତ୍ମକ ରୋଗ ହେବା ସମ୍ଭାବନା ରହିଛି । ମୁଖ୍ୟତଃ କର୍କଟ, ମଧୁମେହ, ଯକୃତ, ହୃଦ୍‌ରୋଗ ଏବଂ ଆର୍ଥରାଇଟିସ୍‌ ଭଳି ରୋଗ ହେବ କି ନାହିଁ ତାହା ଜଣାପଡ଼ିବ । ଏହା ସହ ପ୍ରତିକାର ପାଇଁ ଏହି ବିଭାଗ ଦ୍ୱାରା ଜଡ଼ିବୁଟିରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ପ୍ରଦାନ କରାଯିବ ବୋଲି ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି । 

ପ୍ରଫେସର ନାୟକ କହିଛନ୍ତି, ଏହି କିଟ୍‌ ପ୍ରସ୍ତୁତି ପାଇଁ ଗତ ୨୦୨୯-୨୦ରୁ ଗବେଷଣା ଆରମ୍ଭ କରାଯାଇଥିଲା । ଷ୍ଟାର୍ଟଅପ୍‌ ସହିତ ଯୋଡ଼ି ହେବା ପରେ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଲ୍ୟାବ୍‌ରେ କେବଳ ଛେପ ସଂଗ୍ରହ କରାଯିବ ଏବଂ ଏହାକୁ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ଲ୍ୟାବ୍‌କୁ ପଠାଯିବ । ଆଗକୁ ଏହି ପରୀକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କିପରି ହେବ ଯୋଜନା କରାଯାଉଛି । ପରୀକ୍ଷା ପାଇଁ କିଟ୍‌ ମାଗଣାରେ ଦିଆଯାଉଥିବା ବେଳେ ପରୀକ୍ଷା ଖର୍ଚ୍ଚ ୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପରୀକ୍ଷା ରିପୋର୍ଟ ଆସିବାକୁ ଅତି କମ୍‌ରେ ଏକମାସ ସମୟ ଲାଗୁଛି । ଚିକିତ୍ସା ବିଜ୍ଞାନରେ ଏହା ଏକ ବଡ଼ ଉପଲବ୍ଧି ।