- ସମ୍ବଲପୁର ପୁସ୍ତକ ମେଳା ‘ମହାପୁରୁଷଙ୍କ ସ୍ମୃତି ଚାରଣର ଏକ ‘ବୌଦ୍ଧିକ ମହାକୁମ୍ଭ’
- ଗୋଟିଏ ବହି ଖୋଲିବା ଅର୍ଥ ଭାରତର ଭବିଷ୍ୟତକୁ ଦୁଇ ପାଦ ଆଗକୁ ନେବା
ସମ୍ବଲପୁର,୨୪ ।୧ : ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର 'ରିଲ୍' ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ୨୬ତମ ସମ୍ବଲପୁର ପୁସ୍ତକ ମେଳା ଉଦଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଏହି ମେଳାକୁ ଏକ ପୁସ୍ତକ ସମାହାର ଅପେକ୍ଷା ଜାତିର ପୂର୍ବଜ ଓ ମହାପୁରୁଷଙ୍କ ସ୍ମୃତି ଚାରଣର ଏକ ‘ବୌଦ୍ଧିକ ମହାକୁମ୍ଭ’ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଏହି ପୁସ୍ତକ ମେଳାର ବିଶେଷତା ରହିଛି । ଆମେ ଯେତେବେଳେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ, ବନ୍ଦେ ମାତରମ୍ ଗୀତ ରଚନାର ୧୫୦ ବର୍ଷ, ମା' ରମାଦେବୀଙ୍କ ୧୨୫ ବର୍ଷ, ପାର୍ବତୀ ଗିରିଙ୍କ ୧୦୦ ବର୍ଷ, ବାଜି ରାଉତଙ୍କ ଶତବାର୍ଷିକୀ ଏବଂ ଆର.ଏସ.ଏସ.ର ଶତବାର୍ଷିକୀ ପାଳନ କରୁଛୁ ଓ ନେତାଜୀଙ୍କ ୧୩୦ ତମ ଜନ୍ମଦିନ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ ତମ ଜୟନ୍ତୀ ପାଳନ ହେଉଛି, ସେହି ସମୟରେ ଏହି ପୁସ୍ତକ ମେଳା ଆୟୋଜନ ହେବା ଏକ ଗୌରବର ବିଷୟ ।
ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ଯେ, ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ କାତାର ଓ ସ୍ପେନର ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ “ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟି ସ୍ପାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚିତ ହୋଇଛି। ବର୍ତ୍ତମାନ ଏହି ପୁସ୍ତକ ମୋଟ ୧୩ଟି ଭାଷାରେ ଉପଲବ୍ଧ। କୁଦୋପାଲିର ଅଜଣା ନାୟକଙ୍କ ବଳିଦାନ ୧୮୫୭ ସିପାହୀ ବିଦ୍ରୋହର ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆସନ୍ତା ୧୫ ଫେବୃଆରୀରେ ଆୟୋଜିତ ହେବାକୁ ଥିବା 'ହୀରାକୁଦ ମାରାଥନ'ରେ ଅଂଶଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଉଦଘାଟନୀ ଦିବସରେ ଶ୍ରୀ ପ୍ରଧାନ ଓ ଅନ୍ୟାନ୍ୟ ଅତିଥିଙ୍କ କରକମଳରେ ଶିଶିର ବେହେରାଙ୍କ ଦ୍ୱାରା ଅନୁଦିତ 'ଆନନ୍ଦ ମଠ'ର ଓଡ଼ିଆ ଭାଷାନ୍ତର ସହ ଦୀପକ ପଣ୍ଡାଙ୍କ ରଚିତ 'ଦ ଲ୍ୟାଣ୍ଡ ଅଫ୍ ଭାଲୋର: ହିଷ୍ଟ୍ରି ଅଫ୍ ସମ୍ବଲପୁର'ର ଇଂରାଜୀ ପୁସ୍ତକ, 'ବୀର ସୁରେନ୍ଦ୍ର ସାଏ', 'ମାଆ ସମଲେଶ୍ୱରୀ' ଏବଂ 'ସବ୍ମର୍ଜଡ୍ ଟେମ୍ପଲ୍ସ ଅଫ୍ ସମ୍ବଲପୁର' ଉନ୍ମୋଚନ ହୋଇଥିଲା । ଏଥିସହ ଗଣେଶରାମ ନାହାକଙ୍କ ସମ୍ପାଦିତ 'ସତ୍ୟ ନାରାୟଣ ବୋହିଦାର ଗ୍ରନ୍ଥାବଳି' ଏବଂ ନିରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ସମ୍ପାଦିତ 'ଘନଶ୍ୟାମ ରଥଙ୍କ ଗ୍ରନ୍ଥାବଳୀ' ଉନ୍ମୋଚିତ ହୋଇଛି । ଆସନ୍ତା ୧ ଫେବୃଆରୀ ପର୍ଯ୍ୟନ୍ତ, ପ୍ରାୟ ୯ ଦିନ ଧରି ପିଏଚଡି ପଡ଼ିଆରେ ଏହି ପୁସ୍ତକ ମେଳା ଆୟୋଜନ ହେବ ।
ଆହୁରି ପଢନ୍ତୁ : ଜନଗଣନା ପାଇଁ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ : ମନମୋହନ ସାମଲ