ଅନୁଗୁଳ,୧୩/୦୪: ଦାମୀ କାର୍ରେ ଆସି ଗ୍ରାହକ ବେଶରେ ବୁଲାଇଲେ କଳାକନା । ଗୋଟିଏ କି ଦୁଇଟି ନୁହଁ, ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ଚୋରାଇ ଚମ୍ପଟ ମାରିଲେ । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶନିବାର ଅପରାହ୍ଣରେ ଏମିତି ବଡ଼ଧରଣର ଚୋରି ହୋଇଛି । ଷ୍ଟୋର୍ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ୭ ଜଣ ମହିଳା ଘଟାଇଥିବା ଏହି କାରନାମା ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ମୁତାବକ, ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ । ବୟନିକା ସାମ୍ନାରେ ଲାଗିଥିଲା ଏକ ଦାମୀ କାର୍ । କାର୍ରୁ ୭ ଜଣ ମହିଳାଙ୍କ ସମେତ କାର୍ ଚାଳକ ଓହ୍ଲାଇଥିଲେ । ଦାମୀ କାର୍ ଓ ସାତ ସାତ ଜଣ ମହିଳା ଆସିଥିବା ଦେଖି ଅଧିକ ଟଙ୍କାର ଶାଢ଼ି କିଣିବେ ବୋଲି ଆଶା କରିଥିଲେ ଷ୍ଟୋର୍ କର୍ମଚାରୀ । ହେଲେ ଦାମୀ କାର୍ରେ ଆସିଥିବା ସେହି ମହିଳାମାନେ ଯେ ଅଭିଜ୍ଞ ଚୋରଣୀ ସେମାନଙ୍କ କଳ୍ପନା ବାହାରେ । ଷ୍ଟୋରର କିଛି କର୍ମଚାରୀ ଖାଇବାକୁ ଯାଇଥିବା ବେଳେ ୨ ଜଣ କର୍ମଚାରୀ ଥିଲେ । ସେମାନେ ଭଳିକି ଭଳି ଶାଢ଼ି ଦେଖାଉଥିବା ବେଳେ କେତେକ ଧୂର୍ତ୍ତ ମହିଳା ଜଙ୍ଘରେ ଏକାଧିକ ଦାମୀ ଶାଢ଼ିକୁ ଲୁଚାଇ କାର୍ରେ ଛାଡି ଆସୁଥିଲେ । ମହିଳାମାନେ ଷ୍ଟୋର୍ ଛାଡିବା ପୂର୍ବରୁ ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ବଲପୁରୀ ଶାଢ଼ି ଚୋରାଇ ନେଇଥିଲେ ।
ଅଧିକ ପଢ଼ନ୍ତୁ :- ଆଉ ମାତ୍ର ୩ ଦିନ: ବନ୍ଦ ହୋଇଯାଇପାରେ ଆପଣଙ୍କ PNB ବ୍ୟାଙ୍କ ଆକାଉଣ୍ଟ, ତୁରନ୍ତ କରନ୍ତୁ ଏହି କାମ…
ଏ ନେଇ ବୟନିକା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଚଳାଇଛି । ଖବର ପାଇବା କ୍ଷଣି ଅନୁଗୁଳ ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ‘ବୟନିକା’ରେ ପହଞ୍ଚି ପଚରାଉଚୁରା କରିଥିଲା । ସିସିଟିଭି ଯାଞ୍ଚରୁ ମହିଳାଙ୍କ କାରନାମା ଜାଣିବା ପରେ ପୁଲିସ ଛାନ୍ଭିନ୍ ଚଳାଇଛି । କାର୍ଟି ୫୫ ନମ୍ବର ଜାତୀୟ ରାଜପଥରେ ବଡ଼କେରା ଆଡ଼କୁ ଯାଇଥିବା ଜଣାପଡିଛି।