ନୂଆଦିଲ୍ଲୀ : ବୁଧବାର ଆଇପିଏଲର ପଞ୍ଚମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚଟି ବେଶ ରୋମାଞ୍ଚକ ହୋଇଥିଲା । ୧୪୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମାତ୍ର ଦଳ ପାଇଁ ହିରୋ ସାଜିଥିଲେ ସମୀର ରିଜଭି । ସେ ଦଳ ପାଇଁ ଏକ ବିଶାଳ ସ୍କୋର କରିବା ସହ ବିଜୟୀ କରାଇଥିଲେ ।
ଚଳିତ ସିଜିନର ପ୍ରଥମ ମ୍ୟାଚରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ସମୀର । ଦିନେ ସେ କୋଟି କୋଟି ଟଙ୍କାରେ ଆଇପିଏଲରେ କିଣା ହୋଇଥିଲେ ମାତ୍ର ନିଜର ଖରାପ ଫର୍ମ ପାଇଁ ପୁଣି ଲକ୍ଷକୁ ଖସି ଆସିଥିଲେ । ମାତ୍ର ନିଜର କଠିନ ପରିଶ୍ରମ ବଳରେ ପୁଣିଥରେ ସେ ନିଜର ଦକ୍ଷତା ଦେଖାଇଛନ୍ତି । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦିଲ୍ଲୀ ପକ୍ଷରୁ ୭୦ ରନର ପାଳି ଖେଳି ଟିମର ସଙ୍କଟମୋଚକ ସାଜିଥିଲେ ।
ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ ୮.୪୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ମାତ୍ର ସେ ଆଖିଦୃଷ୍ଟିଆ ଖେଳ ଦେଖାଇ ପାରିନଥିଲେ । ଯଦିଓ ପ୍ରଥମ ମ୍ୟାଚରେ ସେ ରସିଦଙ୍କୁ ଆକ୍ରମଣାତ୍ମକ ଭାବେ ଛକା ମାରିଥିଲେ । ତଥାପି ୮ ମ୍ୟାଚରେ ମାତ୍ର ୪୮ ରନ କରିବାରେ ସକ୍ଷମ ହୋଇଥିଲେ । ଏମିତିକି ପ୍ରଥମରୁ ତାଙ୍କୁ ସୁରେଶ ରାଇନାଙ୍କ ସହ ମଧ୍ୟ ତୁଳନା କରାଯାଉଥିଲା । କୁହାଯାଉଥିଲା କି, ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନ ରାଇନାଙ୍କ ସ୍ଥାନ ନେବେ । ମାତ୍ର ଶେଷରେ ଦଳରେ ନିଜର ସ୍ଥାନ ପକ୍କା କରିପାରିନଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୯୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ଆଉ ପ୍ରଥମ ମ୍ୟାଚରୁ ନିଜର ଦମଦାର ପାଳି ଆରମ୍ଭ କରିଛନ୍ତି । ସେ ୪ ନମ୍ବରରେ ବ୍ୟାଟିଂ ଆସିଥିବାବେଳେ ଦଳର ଅନେକ ଭରସା ରହିଥିଲା । ତୁମେ ତୁମର ପ୍ରକୃତ ଖେଳ ପ୍ରଦର୍ଶନ କର ବୋଲି କୁହାଯାଇଥିଲା । ଆଉ ସେ ଜଗି ରଖି ଖେଳିବା ସହ ବଡ଼ ବଡ଼ ସଟ ଖେଳି ଦଳକୁ ସଙ୍କଟରୁ ମୁକ୍ତ କରିବା ସହ ୬ ଓ୍ବିକେଟରେ ଜିତାଇଥିଲେ । ଏବେ ଏହି ଖେଳାଳିଙ୍କ ସମ୍ପର୍କରେ ଜାଣିବା ପାଇଁ ୟୁଜର୍ସମାନେ ସର୍ଚ୍ଚ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।