ନୂଆଦିଲ୍ଲୀ ; ୨/୧ : ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ଗତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ସାମି ଚାମ୍ପିୟନ୍ସ ଟ୍ରଫିରେ ଆହତ ହୋଇଥିଲେ । ଏହାପରଠାରୁ ସେ ଭାରତୀୟ ଦଳରେ ନିଜର ସ୍ଥାନ ପକ୍କା କରିପାରିନାହାନ୍ତି । ସାମିଙ୍କ ଫିଟନେସକୁ ନେଇ ବାରମ୍ବାର ପ୍ରଶ୍ନ କରାଯାଇଛି । ଏପରିକି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମିଙ୍କୁ ଦଳରେ ସାମିଲ କରାଯିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସାମିଙ୍କ ଫିଟନେସକୁ ନେଇ ଅଗରକର ପ୍ରଶ୍ନ ଉଠାଇଥିବାବେଳେ ଘରୋଇ କ୍ରିକେଟରେ କିନ୍ତୁ ସାମି ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏହାସହ ଅଗରକର ଏବଂ ସାମିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ହୋଇଛି ।

ସେପଟେ ସାମିଙ୍କ ଫ୍ୟାନ୍ସମାନେ ଅଗରକରଙ୍କୁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କାରଣ ସାମି ରଣଜୀ ଟ୍ରଫିରେ ୨୦ ଓ୍ବିକେଟ ଅକ୍ତିଆର କରିଥିଲେ । ଏହାସହ ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ୧୬ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବିଜୟ ହଜାରେ ଟ୍ରଫିରେ ୮ ଓ୍ବିକେଟ୍ ଅକ୍ତିଆର କରିସାରିଲେଣି । ସାମି ଘାତକ ବୋଲିଂ ଜାରି ରଖିଥିଲେ ସୁଦ୍ଧା ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । କୁହାଯାଉଛି କି, ଅଗରକର ନିଜ ଦୋଷ ସୁଧାରିବା ପାଇଁ ସାମିଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ହର୍ଷିତ ରାଣା ଏବଂ ଅର୍ଶଦୀପଙ୍କୁ ବିଶ୍ରାମ ଦିଆଯାଇପାରେ । ସେମାନଙ୍କ ସ୍ଥାନରେ ସାମିଙ୍କୁ ଦଳରେ ସୁଯୋଗ ଦେଇ ଖସି ପାରନ୍ତି ଅଗରକର । ମାତ୍ର ଏହା ଶନିବାର ସ୍ପଷ୍ଠ ହୋଇଯିବ ।

କହି ରଖୁଛୁ କି, ଭାରତ ୨୦୨୬ ନିଜର ପ୍ରଥମ ସିରିଜ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି । ପ୍ରଥମେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ଶନିବାର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ତାଙ୍କ ଟିମ୍ ଦଳ ଘୋଷଣା କରିବେ । ଯାହାକି ବିସିସିଆଇର ଓ୍ବେବସାଇଟ୍ ଏବଂ ସୋସିଆଲ ମିଡିଆ ପେଜରେ ଉପଲବ୍ଧ ହେବ । ଋଷଭ ପନ୍ତ ଦଳରୁ ବାଦ ପଡ଼ିପାରନ୍ତି ବୋଲି ସୂଚନା ମିଳିଛି । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜଶପ୍ରିତ ବୁମରାଙ୍କୁ ଟି-୨୦ ବିଶ୍ବକପ ପାଇଁ ବିଶ୍ରାମ ଦିଆଯାଇପାରେ । ସେପଟେ ଦିନିକିଆ ଦଳରେ ଦୁଇ ଅଭିଜ୍ଞ ଖେଳାଳି ବିରାଟ-ରୋହିତ ଯୋଡ଼ି କିଭଳି ପ୍ରଦର୍ଶନ କରୁଛନ୍ତି ଆଉ ନୂଆବର୍ଷ କେମିତି ଫର୍ମ ସହ ଆରମ୍ଭ ହେଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୭ ବିଶ୍ବକପରେ ଏହି ଦୁଇ ଖେଳାଳିଙ୍କୁ ଫ୍ୟାନ୍ସମାନେ ଦେଖିବାକୁ ଚାହୁଁଥିବାବେଳେ ଆସନ୍ତା ବର୍ଷର ପ୍ରଦର୍ଶନ ଅତ୍ୟନ୍ତ ଜରୁରୀ ରହିଛି ।