ନୂଆଦିଲ୍ଲୀ,୪।୧୦: ଜାପାନ ଇତିହାସରେ ସୃଷ୍ଟି ହେବ ନୂତନ ଅଧ୍ୟାୟ। ଦେଶରେ ପ୍ରଥମ ଥର ଜଣେ ମହିଳା ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଜାପାନର ଆଇରନ୍ ଲେଡି ଭାବରେ ପରିଚିତ ସାନାଏ ତାକାଇଚି ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ। ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି ବା LDP ର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ଚୀନ୍ କଠୋର ସମାଲୋଚକ ଭାବରେ ସାନାଏ ତାକାଇଚିଙ୍କୁ ମଧ୍ୟ ଜଣାଯାଏ। LDP ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି ୬୪ ବର୍ଷୀୟ ସାନାଏ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ନିଯୁକ୍ତି ଅକ୍ଟୋବର ୧୩ ସୁଦ୍ଧା ସଂସଦ ଦ୍ୱାରା ଅନୁମୋଦନ ପାଇପାରେ।
ଶାସକ ଦଳର ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ସାନାଏ ତାକାଇଚି ପରିବେଶ ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କୁ ପରାସ୍ତ କରିଛନ୍ତି। ସିଞ୍ଜିରୋ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ । କୋଇଜୁମିଙ୍କୁ ଜାପାନର ସବୁଠାରୁ ଉଦାରବାଦୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାକାଇଚି ପୂର୍ବରୁ ଜାପାନର ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଦେଶର ରାଜନୀତିରେ ଜଣେ ରକ୍ଷଣଶୀଳ ଜାତୀୟତାବାଦୀ ନେତ୍ରୀ ଭାବରେ ମଧ୍ୟ ପରିଚିତ। ସେ ଏବେ LDP ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସ୍ଥାନ ନେଇପାରନ୍ତି।
ରାଜନୈତିକ ବିଶ୍ଳେଷକମାନେ ମତାରେ ତାକାଇଚିଙ୍କ ନେତୃତ୍ୱ ଜାପାନ ରାଜନୀତିରେ କେବଳ ଲିଙ୍ଗଗତ ସନ୍ତୁଳନର ପ୍ରତୀକ ହେବ ନାହିଁ, ବରଂ ଦେଶର ବୈଦେଶିକ ନୀତି ଏବଂ ଆଭ୍ୟନ୍ତରୀଣ ଦିଗରେ ଏକ ନୂତନ ଅଧ୍ୟାୟ ମଧ୍ୟ ସୃଷ୍ଟି କରିବ। ତାକାଇଚି ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚରଙ୍କ ବଡ଼ ପ୍ରଶଂସକ। ଏହା ସହ ସେ ଜାପାନର ପୂବର୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରକ୍ଷଣଶୀଳ ଦୃଷ୍ଟିକୋଣଣ ମଧ୍ୟ ସମର୍ଥକ। ଲିବରାଲ ଡେମୋକ୍ରାଟିକ ପାର୍ଟି ଏକ ପୁରୁଷ-ପ୍ରଧାନ ଦଳ। ହେଲେ ତାକାଇଚି ଦଳର ପ୍ରଥମ ମହିଳା ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।