ଅହମ୍ମଦାବାଦ, ୮/୩ : ପ୍ରଥମ ଟି-୨୦ ବିଶ୍ବକପ ଜିତିଥିବା ଅଧିନାୟକ ମହେନ୍ଦ୍ରସିଂହ ଧୋନୀଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜଣେ ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ମାହି ଭାରତକୁ ଟି-୨୦ ସହ ଦିନିକିଆ ବିଶ୍ବକପ ମଧ୍ୟ ଜିତାଇଥିବା ଅଧିନାୟକ । ରବିବାର ଯେତେବେଳେ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ଖେଳାଯାଉଛି ସେତେବେଳେ ମାହିଙ୍କ ରାସ୍ତାରେ ସଞ୍ଜୁ ସାମସନ ଯାଉଥିବା ଦେଖିବାକୁ ମିଳୁଛି ।
ଧୋନି ପ୍ରଥମ ଭାରତୀୟ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଭାବେ ୧୦୦୦ ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି । ତେବେ ଏହି ରାସ୍ତାରେ ଏବେ ଅଛନ୍ତି ସଞ୍ଜୁ ସାମସନ । ସେ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୯୯୯ ରନ୍ କରିଛନ୍ତି । ଆଉ ମାତ୍ର ୧ ରନ୍ କଲେ ସେ ୧୦୦୦ ରନ୍ ପୂରଣ କରିବେ । ତେବେ ଏହି ୯୯୯ ରନ୍ ମଧ୍ୟରେ ୫ଟି ଅର୍ଦ୍ଧଶତକ ଏବଂ ତିନୋଟି ଶତକ ରହିଛି ।
ସଞ୍ଜୁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୧୩୧୦ ରନ୍ କରିଛନ୍ତି । ସେପଟେ ଧୋନୀ ୧୬୧୭ ରନ୍ କରିଛନ୍ତି । ତେବେ ଏହାକୁ ଅତି ସହଜରେ ଭାଙ୍ଗିଦେବେ ବୋଲି ଆଶା ରଖିଛନ୍ତି ସଞ୍ଜୁଙ୍କ ପ୍ରଂଶସକ । ତେବେ ସେ ଏବେ ଯେଭଳି ଫର୍ମରେ ରହିଛନ୍ତି ଭାରତୀୟ ଦଳ ତାଙ୍କଠାରୁ ଏକ ବଡ଼ ସ୍କୋର ଆଶା ରଖିଛନ୍ତି । ଫାଇନାଲରେ ସଞ୍ଜୁଙ୍କ ବ୍ୟାଟ୍ ଗର୍ଜିବ ବୋଲି ଆଶା ରଖାଯାଇଛି ।
ଚଳିତ ଟି-୨୦ ବିଶ୍ବକପରେ ପ୍ରଥମରୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ତେବେ ଶେଷ ଦୁଇ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଏଭଳି ପ୍ରଦର୍ଶନ କରିଥିଲେ କି, ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଛି । ଚଳିତ ବିଶ୍ବକପରେ ସେ ୪ ମ୍ୟାଚରେ ୭୭.୩୩ ହାରରେ ୨୩୨ ରନ୍ ସଂଗ୍ରହ କରିଛନ୍ତି । ସୁପର-୮ର ଶେଷ ମୁକାବିଲା ଏବଂ ସେମିରେ ସେ ବଡ଼ ପାଳି ଖେଳିବା ସହ ଓପନର ଭାବେ ପାଓ୍ବାର ଫ୍ଲେରେ ବୋଲରଙ୍କୁ ବଡ଼ ବଡ଼ ସଟ୍ ମାରି ରେକର୍ଡ କରିଛନ୍ତି । ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମୁକାବିଲାରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ଭାରତକୁ ସୁହାଇବା ଭଳି ପିଚରେ ହେବ କି ଖେଳ ? ଫାଇନାଲ ମ୍ୟାଚ ପୂର୍ବରୁ ବଡ଼ ଖୁଲାସା