ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଗ୍‌ଦେବୀଙ୍କୁ ଆବାହନର ପ୍ରକୃତ ସମୟକୁ ନେଇ ଦ୍ୱନ୍ଦ୍ୱ: କ୍ୟାଲେଣ୍ଡରରେ ୨, ଶାସ୍ତ୍ରଜ୍ଞଙ୍କ ମତ ୩ ତାରିଖ...

Published By : Prameya | January 30, 2025 11:55 AM

ଭୁବନେଶ୍ୱର, ୩୦/୦୧: ଚଳିତବର୍ଷ ମା’ ସରସ୍ୱତୀଙ୍କ ପୂଜା ଦିନକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କେତେକ ପଞ୍ଜିକା ଓ କ୍ୟାଲେଣ୍ଡର ଅନୁସାରେ ଆସନ୍ତା  ୨ତାରିଖ(ରବିବାର)ସରସ୍ୱତୀ ପୂଜା । ହେଲେ ଅସଲି ଖଡ଼ିରତ୍ନ ପଞ୍ଜିକା ଓ କେତେକ ଶାସ୍ତ୍ରଜ୍ଞଙ୍କ  ମତରେ ୩ ତାରିଖ (ସୋମବାର) ହେଉଛି  ମା’ଙ୍କ ପୂଜା । ପ୍ରୟାଗରାଜରେ ଚାଲିଥିବା  ମହାକୁମ୍ଭ ମେଳାରେ ବସନ୍ତ ପଞ୍ଚମୀର ଶାହୀ  ସ୍ନାନ ଫେବ୍ରୁଆରୀ  ୩ ତାରିଖରେ ହେବ । ତେଣୁ ୩  ତାରିଖ(ସୋମବାର)  ହିଁ ବାଗ୍‌ଦେବୀଙ୍କୁ  ଆବାହନ କରିବାର  ପ୍ରକୃତ ସମୟ ବୋଲି ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ  କୁହାଯାଇଛି । 

ବୁଧବାର ସାମନ୍ତ ଚନ୍ଦ୍ରଶେଖର ସ୍ମୃତି  ପରିଷଦ, ଭୁବନେଶ୍ୱର ଏବଂ ଭାଗ୍ୟଜ୍ୟୋତି  ପ୍ରକାଶନ, କଟକ ତରଫରୁ ସ୍ଥାନୀୟ  ଗୀତଗୋବିନ୍ଦ ସଦନରେ ଏନେଇ ଏକ  ଆଲୋଚନାଚକ୍ର ହୋଇଥିଲା । ଏଥିରେ  ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ  ଅଧ୍ୟକ୍ଷତା କରିଥିଲେ । ଜ୍ୟୋତିର୍ବିଦ୍ୟା ବାଚସ୍ପତି  ବୈକୁଣ୍ଠନାଥ ନାୟକ, ପଣ୍ଡିତ ଗୁରୁ ପ୍ରସାଦ  ରଥ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ  ଜ୍ୟୋତିର୍ବିଦ୍ୟା ବାରିଧି ଦୋଳଗୋବିନ୍ଦ ପଣ୍ଡା,  ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ତଥା  ସ୍ତମ୍ଭକାର ଓ ପାଞ୍ଜି ସମୀକ୍ଷକ ପଣ୍ଡିତ ହରିଶଙ୍କର  ମିଶ୍ର, ଜ୍ୟୋତିର୍ବିଦ୍ୟା ବାରିଧି ନାରାୟଣ ମଲ୍ଲିକ,  ଭାଗ୍ୟଜ୍ୟୋତିର ଶ୍ରୀକ୍ଷେତ୍ର ଓ ପରମେଶ୍ୱରୀ  ପଞ୍ଜିକାର ପ୍ରକାଶକ ରଞ୍ଜନ କୁମାର ସେନାପତି  ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  

ସେମାନଙ୍କ କହିବା କଥା, ଉଦୟବ୍ୟାପିନୀ  ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ବା ବସନ୍ତ  ପଞ୍ଚମୀ ପାଳନୀୟ । ପଞ୍ଚମୀ ତିଥି କ୍ଷୟ ହେଉ  ନ ଥିଲେ ଉଦୟକାଳକୁ ଚତୁର୍ଥୀ ଥାଇ ପଞ୍ଚମୀ  ତିଥିରେ ବା ପୂର୍ବବିଦ୍ଧା ତିଥିରେ ବସନ୍ତ ପଞ୍ଚମୀ  କଦାପି ପାଳନୀୟ ନୁହେଁ । ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି- ‘ପଞ୍ଚମୀ ତୁ ସଦା କାର୍ଯ୍ୟା  ଷଷ୍ଠୀଯୁକ୍ତା ଚ ନାରଦ । ନ ଚତୁର୍ଥୀଯୁତା କାର୍ଯ୍ୟା  ବସନ୍ତୋତ୍ସବ କର୍ମଣି’ । ଅର୍ଥାତ୍‌ ବସନ୍ତ ପଞ୍ଚମୀ ଷଷ୍ଠୀଯୁକ୍ତା (ପରବିଦ୍ଧା) ହେଲେ ହିଁ ପାଳନ  ହୁଏ, କଦାପି ଚତୁର୍ଥୀଯୁକ୍ତା (ପୂର୍ବବିଦ୍ଧା)ରେ  ପାଳନ ହୁଏ ନାହିଁ। ପୁନଶ୍ଚ ସ୍ମୃତିଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁ ତିଥିରେ ଉଦୟ ହୁଅନ୍ତି, ସେହି  ତିଥି ସମସ୍ତ ଦେବପୂଜା ଓ ଅଧ୍ୟୟନ ଆଦି  କାର୍ଯ୍ୟରେ ଗ୍ରହଣୀୟ । 

ଫେବ୍ରୁଆରି ୨ ତାରିଖ  ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ  ଅଛି । ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ  ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି ।  ପାଞ୍ଜିଭେଦରେ ଏହି ସମୟରେ ସାମାନ୍ୟ  ଫରକ ଥିଲେ ବି ସବୁ ପାଞ୍ଜିରେ ଉଦୟବ୍ୟାପିନୀ  ଓ ଷଷ୍ଠୀଯୁକ୍ତା ପଞ୍ଚମୀ କେବଳ ୩ ତାରିଖ ହିଁ  ରହୁଛି । ତେଣୁ ୩ ତାରିଖରେ ପୂଜା ପାଳନୀୟ  ବୋଲି ସେମାନେ ମତ ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.