ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ କେଉଁ ଖେଳାଳି ସାମିଲ ହେବେ, ସେନେଇ କିଏ ସ୍ଥିର କରିବ ? ଏହାର ଉତ୍ତର ନିଶ୍ଚିତ ଭାବରେ ବିସିସିଆଇ । କିନ୍ତୁ ଏବେ ଭାରତର ରାଜନେତା ଟିମ ସିଲେକ୍ସନକୁ ନେଇ ମନ୍ତବ୍ୟ ଦେଉଛନ୍ତି । ଭାରତ-ଏ ଦଳରେ ସରଫରାଜ ଖାନଙ୍କୁ କାହିଁକି ସାମିଲ କରାଗଲା ନାହିଁ, ତାକୁ ନେଇ ଅଜବ ଯୁକ୍ତି କରିଛନ୍ତି କଂଗ୍ରେସ ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି । ସେମା​‌ନେ ବିସିସିଆଇ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । 

ଭାରତ-ଏ ଏବଂ ଦକ୍ଷିଣ ଆଫ୍ରିକା-ଏ ଟିମ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଲାଗି ସରଫରାଜ ଖାନଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ନିକଟରେ ଇଂଲଣ୍ଡ ଗସ୍ତରେ ତାଙ୍କ ପ୍ରଦର୍ଶନ ଭଲ ଥିବା ସତ୍ତେ୍ବ ତାଙ୍କୁ କାହିଁକି ଦଳରେ ସାମିଲ କରାଗଲା ନାହିଁ ବୋଲି କଂଗ୍ରେସ ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପ୍ରଶ୍ନ କରିଛନ୍ତି । 

କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ଇନଷ୍ଟାରେ ପଚାରିଛନ୍ତି, ‘ସରଫରାଜଙ୍କୁ ତାଙ୍କ ସରନେମ (ସାଙ୍ଗିଆ) ଯୋଗୁଁ ଚୟନ କରାଯାଇ ନାହିଁ କି ? ବାସ ଏମିତି ପଚାରୁଛି। ଆମେ ଜାଣିଛୁ ଗୌତମ ଗମ୍ଭୀର ଏହି ବିଷୟରେ କ'ଣ ଭାବନ୍ତି।’

କଂଗ୍ରେସ ନେତା ଡକ୍ଟର ଶାମା ମହମ୍ମଦଙ୍କ ଅଭିଯୋଗରେ ସତ୍ୟତା ନାହିଁ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅତୁଲ ୱାସନ । ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଅତୁଲ ୱାସନ କହିଛନ୍ତି ଯେ, ଧର୍ମ କାର୍ଡ ଖେଳିବା ଠିକ୍ ନୁହେଁ। ସରଫରାଜ ଖାନଙ୍କୁ ଉପଯୁକ୍ତ ସୁଯୋଗ ଦିଆଯାଇ ନାହିଁ । କିନ୍ତୁ କଂଗ୍ରେସର ଅଭିଯୋଗ ଅବାନ୍ତର। ଭାରତୀୟ କ୍ରିକେଟରେ ଏହା କେବେ ଘଟିନାହିଁ।’

AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ BCCIର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି ଯେ, ସରଫରାଜ ଖାନଙ୍କୁ ଭାରତ ଏ ପାଇଁ କାହିଁକି ଚୟନ କରାଯାଇ ନାହିଁ ? ନିକଟରେ ସରଫରାଜ ଖାନ ଭାରତ A ପାଇଁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୯୨ ରନ କରିଥିଲେ। ଗତ କିଛି ଦିନ ଧରି, ସରଫରାଜ ଖାନ ତାଙ୍କ ଫିଟନେସ୍ ଏବଂ ଫର୍ମକୁ ଉନ୍ନତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ସେ ପ୍ରାୟ ୧୭ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଏବଂ ତାଙ୍କ ବ୍ୟାଟିଂରେ ସୁଧାର କରିଛନ୍ତି।’

ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ସିରିଜ ପାଇଁ ଭାରତ ଏ ଦଳ ମଙ୍ଗଳବାର (୨୧ ଅକ୍ଟୋବର, ୨୦୨୫) ଘୋଷଣା କରାଯାଇଛି। ଉଭୟ ମ୍ୟାଚ୍ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସରେ ଖେଳାଯିବ। ଏହି ସିରିଜରେ ରିଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତାଙ୍କୁ ଭାରତ ଏ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।  ସରଫରାଜ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଭାରତ ପାଇଁ ଖେଳିଥିଲେ। ଏହି ସିରିଜରେ ସେ ବେଙ୍ଗାଲୁରୁରେ ତାଙ୍କର ପ୍ରଥମ ଟେଷ୍ଟ ଶତକ (୧୫୦) କରିଥିଲେ। ସେବେଠାରୁ ସେ ଭାରତୀୟ ଦଳ ପାଇଁ କୌଣସି ମ୍ୟାଚ୍ ଖେଳି ନାହାନ୍ତି।