ନୟାଗଡ, ୧୭।୧୧ : ଶରଧାପୁର ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାକଟା। ରାଜନୈତିକ ଶତ୍ରୁତା କାରଣରୁ ହଣାକଟା ହୋଇଥିବା ନେଇ ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଲେ ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ମୁଦୁଲି ଏବଂ ସମିତିସଭ୍ୟ ସୁଜିତ୍ ପ୍ରଧାନ। ଇଟାମାଟି ଥାନା ଶରଧାପୁର ଗ୍ରାମର ଏହି ଘଟଣା ଘଟିଛି।
ସନ୍ତୋଷ ଘର ବାରିପଟେ ଛିଡା ହୋଇଥିବା ବେଳେ ସୁଜିତ୍ ଓ ତାଙ୍କ ସମର୍ଥକମାନେ ହଠାତ୍ ଆସି ସନ୍ତୋଷଙ୍କୁ ଖଣ୍ଡା ଏବଂ ଠେଙ୍ଗାରେ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକ ମାନେ କହିଛନ୍ତି। ଖଣ୍ଡା ଆକ୍ରମଣ ଯୋଗୁଁ ସନ୍ତୋଷଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବା ସମର୍ଥକ ମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନୟାଗଡ଼ ସରପଞ୍ଚ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ, ସୁଜିତ୍ ଭୁବନେଶ୍ୱରରୁ ଫେରି ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ସନ୍ତୋଷଙ୍କ ସମର୍ଥକ ମାନେ ସୁଜିତ୍ ଙ୍କୁ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକ ମାନେ କହିଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଇଟାମାଟି ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।