ନୂଆଦିଲ୍ଳୀ,୧୮।୫: କେବେ କଳ୍ପନା କରିଛନ୍ତି କି ? ଆପଣଙ୍କ ହାତରେ ସ୍ମାର୍ଟଫୋନ୍ ଅଛି, କିନ୍ତୁ ତାହା ସିମ୍ କାର୍ଡ କିମ୍ବା ମୋବାଇଲ୍ ଟାୱାର ବିନା ଚାଲିବ। ଆପଣ ସହଜରେ କଲ୍ କରିପାରିବେ ଏବଂ ଇଣ୍ଟରନେଟ୍ ବି ବ୍ୟବହାର କରିପାରିବେ? ଏହା ଶୁଣିବାକୁ ଅଜବ ଲାଗୁ ଥାଇପାରେ, କିନ୍ତୁ ଏହି ଟେକ୍ନୋଲୋଜି ବାସ୍ତବରେ ପରିଣତ ହେବାକୁ ଯାଉଛି। ଏହାକୁ ଡାଇରେକ୍ଟ-ଟୁ-ଡିଭାଇସ୍ କୁହାଯାଏ। ଭାରତ ସରକାର ଦେଶର ପ୍ରତ୍ୟେକ କୋଣରେ, ବିଶେଷକରି ଦୁର୍ଗମ ଅଞ୍ଚଳଗୁଡ଼ିକରେ ଯେଉଁଠି ନେଟୱାର୍କ ମଜବୁତ ନାହିଁ, ସେଠାରେ ସାଟେଲାଇଟ୍ କନେକ୍ଟିଭିଟି କରିବାକୁ ଯାଉଛନ୍ତି।

ଭାରତରେ ଡାଇରେକ୍ଟ-ଟୁ-ଡିଭାଇସ୍ ବା D2D ସାଟେଲାଇଟ୍ ସଂଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଟେକ୍ନୋଲୋଜି ଦ୍ବାରା ମୋବାଇଲ୍ ଫୋନ୍ଗୁଡ଼ିକୁ ସାଟେଲାଇଟ୍ ସହିତ ସଂଯୋଗ କରାଯିବ। ମୋବାଇଲ୍ ନେଟୱାର୍କ ନଥିବା ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ମିଳିପାରିବ କରିବ। ଭାରତ ସରକାର ଏହି ଟେକ୍ନୋଲୋଜି ସମ୍ପର୍କରେ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରୁଛନ୍ତି। ଆପଲ୍ ଏବଂ ଗୁଗୁଲ୍ ସରକାରଙ୍କଠାରୁ ଏହି ସେବା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଅଧିକ ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ସରକାରଙ୍କୁ ନିଜର ପ୍ରତିକ୍ରିୟା ଜଣାଇଛନ୍ତି। ଆପଲ୍ ଏବଂ ଗୁଗୁଲ୍ ଭାରତକୁ ଏହି ଦୌଡ଼ରେ ସତର୍କତାର ସହିତ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ଉଭୟ କମ୍ପାନୀ DoT ସହିତ ଅନୌପଚାରିକ ଆଲୋଚନାରେ ଏହି ଟେକ୍ନୋଲୋଜି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ବୈଷୟିକ ଚ୍ୟାଲେଞ୍ଜ କଥା ମଧ୍ୟ ଉଠାଇଛନ୍ତି।

D2D ହେଉଛି ଏକ ସାଟେଲାଇଟ୍ କମ୍ୟୁନିକେସନ୍ ଟେକ୍ନୋଲୋଜି, ଯାହା ସ୍ମାର୍ଟଫୋନ୍ କୁ ମହାକାଶରେ ଥିବା ସାଟେଲାଇଟ୍ ସହିତ ସିଧାସଳଖ ସଂଯୋଗ କରିବ। ସରଳ ଭାଷାରେ କହିବାକୁ ଗଲେ, ଏହି ଟେକ୍ନୋଲୋଜି ସହିତ, ଫୋନ୍ କଲ୍ କରିବା କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ମୋବାଇଲ୍ ଟାୱାର କିମ୍ବା ସିମ୍ କାର୍ଡ ର ଆବଶ୍ୟକତା ପଡ଼ିବ ନାହିଁ। ଫୋନ୍ ସାଟେଲାଇଟ୍ ରୁ ସିଧାସଳଖ ସିଗନାଲ ଗ୍ରହଣ କରିବ। ଏହି ଟେକ୍ନୋଲୋଜିର ଲକ୍ଷ୍ୟ ହେଉଛି ଦୁର୍ଗମ, ପାହାଡିଆ, ଜଙ୍ଗଲ କିମ୍ବା ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ କନେକ୍ଟିଭିଟି ଉପଲବ୍ଧ କରିବା। ଯେଉଁଠାରେ ସାଧାରଣ 4G/5G ନେଟୱାର୍କ ଉପଲବ୍ଧ ନାହିଁ।

ଆଇଫୋନ୍ ତିଆରି କରୁଥିବା ଟେକ୍ କମ୍ପାନୀ ଆପଲର କିନ୍ତୁ ଏନେଇ ଅଲଗା ମତ ଦେଇଛି। ଆପଲ କହିଛି ତା’ର ସ୍ମାର୍ଟଫୋନ୍ର ହାର୍ଡଓ୍ବେରରେ ବଡ଼ ପରିବର୍ତ୍ତନ ସେ ଚାହୁଁ ନାହିଁ। ନୂଆ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ପ୍ରସ୍ତୁତ ନହେବା ଯାଏଁ ବର୍ତ୍ତମାନ ମୋବାଇଲ ନେଟଓ୍ବାର୍କର ସୁରକ୍ଷା ମଜବୁତ କରିବାକୁ ହେବ। ସେଭଳି ଗୁଗୁଲ ମଧ୍ୟ ଆପଲରକୁ ସମର୍ଥନ କରିଛି। ଗୁଗୁଲର କହିବା ଅନୁସାରେ, ସାଧାରଣ ସ୍ମାର୍ଟଫୋନ୍ରେ ଡାଇରେକ୍ଟ ସାଟେଲାଇଟ୍ କନେକ୍ଟିଭିଟି ଦେବାରେ ଏବେ ବି ସମସ୍ୟା ରହିଛି। ଯେପରକି ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବ, ଛୋଟ ସ୍ଲିମ ସ୍ମାର୍ଟଫୋନ୍‌ର ବଡ ସାଟେଲାଇଟ୍ ଆଣ୍ଟିନା ଲଗାଇବା କଷ୍ଟକର। ୪ଜି ଏବଂ ୫ଜି ସହ ସାଟେଲାଇଟ୍ ସିଷ୍ଟମକୁ କନେକ୍ଟ କରିବା ଖୁବ୍ କଠିନ କାମ। ଏହା ସହ ହାର୍ଡଓ୍ବେରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି କହିଛି ଗୁଗୁଲ। ଭାରତରେ ଏହି ଟେକ୍ନୋଲୋଜି ଆସିବାକୁ ଯାଉଥିବା ବେଳେ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ଓ କାନାଡାର କିଛି ସ୍ଥାନରେ କାମ ଆରମ୍ଭ ହୋଇସାରିଛି। ଆମେରିକାରେ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଓ ଟେଲିକମ୍ କମ୍ପାନୀ ଟି-ମୋବାଇଲ ମିଶିକି ଏହାର ଟ୍ରାଏଲ କରୁଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଭାରତରେ ବଡ ପରିମାଣରେ ଲାଗୁ କରିବାରେ ଏବେ କିଛି ବର୍ଷ ସମୟ ଲାଗିବ।

ଆହୁରି ପଢନ୍ତୁ : ତେଲ କମ୍ପାନୀଙ୍କୁ ଦୈନିକ ୧୩୮୦ କୋଟିର କ୍ଷତି, କେତେ ମହଙ୍ଗା ହେବ ତେଲ ?