ଭୁବନେଶ୍ୱର,୧୧/୦୫: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପାଇଁ  ଓଡ଼ିଶା ପର୍ଯ୍ୟଟନ ବିଭାଗର ମାଷ୍ଟର୍‌ପ୍ଲାନ୍‌ ।  ଖର୍ଚ୍ଚ ହେବ ୧୭୪ କୋଟି । ଏହାର  କୋର୍‌ ଏବଂ ବଫର୍‌ ଅଞ୍ଚଳରେ ସିରିଜ୍‌  ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତୀକରଣ  କରାଯିବ । ଓଡ଼ିଶା ଜଙ୍ଗଲ ବିଭାଗର  ଆଗ୍ରହ ଓ ଅନୁମତି କ୍ରମେ ଏକ ବିସ୍ତୃତ  ଡିପିଆର୍‌ ପ୍ରସ୍ତୁତ ଚାଲିଛି । ମୁଖ୍ୟ  ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରକଳ୍ପ  ନିର୍ମାଣ ହେବ ଯେଉଁଥିରେ ପରିବେଶର  କୌଣସି କ୍ଷତି ପହଞ୍ଚିବ ନାହିଁ ।  ପ୍ରାୟତଃ ଅସ୍ଥାୟୀ ନିର୍ମାଣ କରାଯିବ ।  

ସୂଚନା ମୁତାବକ, ‘ସ୍ପେଶାଲ୍‌  ଆସିଷ୍ଟାନ୍ସ ଟୁ ଷ୍ଟେଟ୍‌ସ ଫର୍‌ କ୍ୟାପିଟାଲ୍‌  ଇନ୍‌ଭେଷ୍ଟ୍‌ମେଣ୍ଟ (ଏସ୍‌ଏଏସ୍‌ସିଆଇ)  ଯୋଜନା ଅଧୀନରେ ୧୧୩୬.୭୦  ବର୍ଗ କିଲୋମିଟରର ବିସ୍ତାରିତ  ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ୟାଘ୍ର  ଭୂମି ସାତକୋଶିଆ ପାଇଁ ସମନ୍ୱିତ  ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା ଓଡ଼ିଶା  ପର୍ଯ୍ୟଟନ ବିଭାଗ । ମୂଳ ଯୋଜନାରେ,  ବିଭାଗ ୩ଟି ଜୋନ୍‌ ଯଥା³ ପମ୍ପାସରଟିକରପଡ଼ା ହବ୍‌, ବାଲିପୁଟ-ବଡ଼ମୁଳ ହବ୍‌ ଏବଂ କୁସଙ୍ଗା-ଶୀତଳପାଣି ହବ୍‌  ବ୍ୟାଘ୍ର ସଂରକ୍ଷଣର ପ୍ରସ୍ତାବ ଦେଇଥିଲା ।  ଏହିସବୁଠାରେ ପର୍ଯ୍ୟଟକଙ୍କ ସୁବିଧା  ପାଇଁ ବିଭିନ୍ନ ପ୍ରକଳ୍ପ ରହିଥିଲା । ମୁଖ୍ୟତଃ  ପମ୍ପାସର-ଟିକରପଡ଼ା ହବ୍‌ରେ ପର୍ଯ୍ୟଟକ  ଆଗମନ ପ୍ଲାଜା, ରହଣି ସ୍ଥଳ, ପକ୍ଷୀ  ଦେଖିବା ସ୍ଥଳ, ଘଡ଼ିଆଳ ଗବେଷଣା ଏବଂ ସଂରକ୍ଷଣ ୟୁନିଟ୍‌ (ଜିଆର୍‌ଏସିୟୁ),  ପ୍ରକୃତି ବ୍ୟାଖ୍ୟାନ କେନ୍ଦ୍ର, ଆମ୍ଫି ଥିଏଟର୍‌,  ଜେଟି ଉନ୍ନତୀକରଣ ଏବଂ ଦୁଃସାହସିକ  କ୍ରୀଡ଼ା ଆଦି ରହିଛି । ସେହିପରି  ବାଲିପୁଟ-ବଡ଼ମୁଳ ହବ୍‌ରେ ଆଗମନ  ପ୍ଲାଜା ସହ ନଦୀ କୂଳରେ ମଜା, ପକ୍ଷୀ  ଦେଖିବା ସ୍ଥଳ, କ୍ରୁଜ୍‌ ହବ୍‌, କାରାଭାନ୍‌ ପାର୍କ ଏବଂ ଦୁଃସାହସିକ କ୍ରୀଡ଼ା ପ୍ରସ୍ତାବ  ରହିଥିଲା । ସେହିପରି କୁସଙ୍ଗାଶୀତଳପାଣି ହବ୍‌ରେ ଆଗମନ ପ୍ଲାଜା,  ଜେଟି ଉନ୍ନତୀକରଣ, ପ୍ରକୃତି ବ୍ୟାଖ୍ୟାନ  କେନ୍ଦ୍ର, ଦୁଃସାହସିକ କ୍ରୀଡ଼ା ସହ ମନ୍ଦିର  ପର୍ଯ୍ୟଟନ ପ୍ରସ୍ତାବିତ ହୋଇଥିଲା ।  

ମାଷ୍ଟର୍‌ପ୍ଲାନ୍‌ ଅନୁଯାୟୀ,  ଟିକରପଡ଼ାରେ ପ୍ରାୟ ୬.୮୬ ଏକର  ଜମି, ବାଲିପୁଟରେ ୧୫.୬୪ ଏକର,  ପୁରୁଣାକୋଟରେ ୧୬.୦୭ ଏକର,  ଛାମୁଣ୍ଡିଆରେ ୩.୭୭ ଏକର,  ବଡ଼ମାଳରେ ୮.୩୭ ଏକର ଏବଂ  ଶୀତଳପାଣି ଅଞ୍ଚଳରେ ୧୯.୫୫ ଏକର  ଜମି, ମୁଖ୍ୟତଃ ବ୍ୟାଘ୍ର ସଂରକ୍ଷଣର  ବଫର୍‌ ଜୋନ୍‌ ପ୍ରକଳ୍ପ କାର୍ଯ୍ୟକାରୀ  କରିବା ପାଇଁ ସ୍ଥିର କରାଯାଇଥିଲା ।  ମାଷ୍ଟର୍‌ପ୍ଲାନ୍‌ର ସମୀକ୍ଷା ପରେ ଜଙ୍ଗଲ  ବିଭାଗ, ପର୍ଯ୍ୟଟନ ବିଭାଗକୁ ଏଥିରେ  ଆବଶ୍ୟକ ପରିବର୍ତ୍ତନ କରି ଏକ ନୂତନ  ଡିପିଆର୍‌ ପ୍ରସ୍ତୁତ କରିବାକୁ ଅନୁରୋଧ  କରିଛି । ଏହାର କାରଣ ବର୍ତ୍ତମାନର  ପ୍ରସ୍ତାବରେ ବଫର୍‌ ଜୋନ୍‌ରେ ଯେଉଁ  ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି, ତାହା ସହଜରେ  କାର୍ଯ୍ୟକାରୀ ହୋଇପାରିବ ନାହିଁ ।  ସେଥିଲାଗି ଏହି କ୍ଷେତ୍ରଗୁଡ଼ିକ ମଧ୍ୟରୁ  ଯେକୌଣସି ସ୍ଥାନରେ ପର୍ଯ୍ୟଟକ  ବାସସ୍ଥାନ ନିର୍ମାଣର ପ୍ରସ୍ତାବକୁ  ପ୍ରତ୍ୟାଖ୍ୟାନ କରାଯାଇଛି । ଏପରିକି  ପମ୍ପାସର-ଟିକରପଡ଼ା ହବ୍‌ରେ କୁଟୀର  ଉନ୍ନତୀକରଣ, ଆମ୍ଫି ଥିଏଟର୍‌, ଜେଟି  ଉନ୍ନତୀକରଣ ଏବଂ ଦୁଃସାହସିକ କ୍ରୀଡ଼ା  ଯୋଜନାକୁ ମଧ୍ୟ ବାତିଲ କରାଯାଇଛି ।  ପ୍ରକୃତରେ ଏହିସବୁ ପର୍ଯ୍ୟଟନ  ପ୍ରକଳ୍ପ ଗୁଡ଼ିକ ପାଇଁ ଜାତୀୟ ବନ୍ୟପ୍ରାଣୀ  ବୋର୍ଡ (ଏନ୍‌ବିଡବ୍ଲୁଏଲ୍‌) ସହିତ ରାଜ୍ୟ  ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ  ମଧ୍ୟ ଜରୁରି । 

ଏହାବ୍ୟତୀତ, ସାତକୋଶିଆର ଇକୋ-ସେନ୍‌ସିଟିଭ୍‌  ଜୋନ୍‌ (ଇଏସ୍‌ଜେଡ୍‌)କୁ ନଜରରେ ରଖି  ଅଭୟାରଣ୍ୟ ସୀମାର ୧୦ କିଲୋମିଟର  ଅଞ୍ଚଳ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ  ବି ଅନୁମତି ନେବାକୁ ପଡ଼ିବ । ପରିବେଶ  ପ୍ରଭାବ ମୂଲ୍ୟାଙ୍କନ ବିଜ୍ଞପ୍ତି ୨୦୦୬ର  ସୂଚୀରେ ତାଲିକାଭୁକ୍ତ ପ୍ରକଳ୍ପଗୁଡ଼ିକ ପାଇଁ  ଏନ୍‌ବିଡବ୍ଲୁଏଲ୍‌ ସ୍ଥାୟୀ କମିଟିର ଅନୁମତି  ନେବା ମଧ୍ୟ ଜରୁରି ବୋଲି ନିର୍ଦ୍ଦେଶ ରହିଛି ।  

ଏହି ପ୍ରକଳ୍ପ ଡିପିଆର୍‌ ପ୍ରସ୍ତୁତ ପାଇଁ  ପର୍ଯ୍ୟଟନ ବିଭାଗ, ଓଡ଼ିଶା ସେତୁ ଏବଂ  ନିର୍ମାଣ ନିଗମ ଲିମିଟେଡ୍‌ (ଓବିସିସି)କୁ  ନିୟୋଜିତ କରିଛି । ପ୍ରଧାନ ମୁଖ୍ୟ ବନ୍ୟ  ସଂରକ୍ଷକ (ପିସିସିଏଫ୍‌) (ବନ୍ୟପ୍ରାଣୀ)  ପ୍ରେମ କୁମାର ଝା କହିଛନ୍ତି³ ଜଙ୍ଗଲ  ବିଭାଗ ସହ ପରାମର୍ଶ କରି ମାଷ୍ଟର୍‌ପ୍ଲାନ୍‌  ସଂଶୋଧନ ପୂର୍ବକ ପ୍ରସ୍ତୁତ କରିବାକୁ  ପର୍ଯ୍ୟଟନ ବିଭାଗକୁ କୁହାଯାଇଛି ।  ସଂଶୋଧିତ ଡିପିଆର୍‌ ଦାଖଲ ପରେ  ପ୍ରକଳ୍ପଗୁଡ଼ିକ କିପରି କାର୍ଯ୍ୟକାରୀ  ହେବ ସେ ବିଷୟରେ ଜଙ୍ଗଲ ବିଭାଗ  ନିଷ୍ପତ୍ତି ନେବ ବୋଲି ଶ୍ରୀ ଝା କହିଛନ୍ତି ।